ବିଜ୍ଞାନ

ଚନ୍ଦ୍ର ମୃତ୍ତିକାରୁ ଅମ୍ଳଜାନ ଖୋଜି ପାଇଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ: ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଆର୍ଟେମିସ୍‌ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀଙ୍କୁ ପ୍ରେରଣ କରିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏହାର ବୈଜ୍ଞାନିକମାନେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥରୁ ଅମ୍ଳଜାନ ବାହାର କରିବାରେ ସଫଳ ହୋଇଛନ୍ତି। ଚନ୍ଦ୍ରର ଉପରିଭାଗରେ ରହିଥିବା ମାଟି ଅତ୍ୟନ୍ତ ସୂକ୍ଷ୍ମ ଦାନାଯୁକ୍ତ ପଦାର୍ଥ। ଏକ ଶୂନ୍ୟ ପରିବେଶରେ ସେଥିରୁ ଅମ୍ଳଜାନ ବାହାର କରାଯିବାକୁ ଏକ ବଡ଼ ସଫଳତା କୁହାଯାଉଛି। ଆଗାମୀ ଦିନରେ ମହାକାଶଚାରୀମାନେ ଚନ୍ଦ୍ର ପରିବେଶର ସମ୍ବଳକୁ ବ୍ୟବହାର କରିବା ସହ ସେଥିରୁ ଅମ୍ଳଜାନ ବାହାର କରିପାରିବେ ବୋଲି କୁହାଯାଉଛି।
ଚନ୍ଦ୍ରପୃଷ୍ଠରେ ଦୀର୍ଘଦିନ ଅବସ୍ଥିତି ପାଇଁ ଅମ୍ଳଜାନ ଅତି ଗୁରୁତ୍ୱପୂର୍ଣ୍ଣ ମୌଳିକ ଉପାଦାନ। ଏହାକୁ ଶ୍ୱାସକ୍ରିୟାରେ ବ୍ୟବହାର କରାଯିବା ସହ ପରିବହନ ଲାଗି ଏକ ପ୍ରୋପେଲାଣ୍ଟ ଭାବେ ବ୍ୟବହାର କରାଯାଇପାରିବ। ନାସା ସଫଳତାର ସହ ଏହାର ପରୀକ୍ଷା ଶେଷ କରିବା ପରେ ଚନ୍ଦ୍ରପୃଷ୍ଠରେ ଥିବା ପଦାର୍ଥରୁ ଅମ୍ଳଜାନ ବାହାର କରାଯାଇପାରିବ ବୋଲି ସ୍ପଷ୍ଟ କରିଛି। ନାସାର କାର୍ବୋଥର୍ମାଲ ରିଡକ୍ସନ ଡେମୋନଷ୍ଟ୍ରେଶନ (କାର୍ଡ) ଟିମ୍‌ ହଷ୍ଟନ୍‌ର ଜନ୍‌ଶନ ସ୍ପେସ୍‌ ସେଣ୍ଟରରେ ଏହି ପରୀକ୍ଷା କରିଥିଲେ। ସେମାନେ ୧୫ ଫୁଟ୍‌ ବ୍ୟାସର ଏକ ସ୍ବତନ୍ତ୍ର ଗୋଲାକୃତି ଚାମ୍ବର (ଡାର୍ଟି ଥର୍ମାଲ ଭାକ୍ୟୁମ୍‌ ଚାମ୍ବର)ରେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥ ନେଇଥିଲେ। ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ବ୍ୟବହାର କରି ଏକ ସୌରଶକ୍ତି କନ୍‌ସେଣ୍ଟ୍ରେଟରରୁ ଅନୁରୂପ ଉତ୍ତାପ ସୃଷ୍ଟି କରାଇ କାର୍ବୋଥର୍ମାଲ ରିଆକ୍ଟରରେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥକୁ ତରଳାଇଥିଲେ। ଏହା ଉତ୍ତପ୍ତ ହେବା ପରେ ଗବେଷକମାନେ ମାସ୍‌ ସ୍ପେକ୍ଟ୍ରୋମିଟର ଅବ୍‌ଜରଭିଂ ଲୁନାର ଅପରେଶନ୍ସ ସହାୟତାରେ ସେଥିରୁ କାର୍ବନ ମନୋକ୍ସାଇଡ୍‌ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ଅକ୍ସିଜେନ୍‌ ଉତ୍ପାଦନ କରିବା ସାମର୍ଥ୍ୟ ଉକ୍ତ ପ୍ରଯୁକ୍ତିର ରହିଛି, ଯାହା ସେଠାରେ ମାନବ ଉପସ୍ଥିତି ଲାଗି ସହାୟକ ହେବ ବୋଲି ନାସାର ବରିଷ୍ଠ ଇଞ୍ଜିନିୟର ତଥା କାର୍ଡର ପ୍ରୋଜେକ୍ଟ ମ୍ୟାନେଜର ଆରୋନ୍‌ ପାଜ୍‌ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button