କ’ଣ ପାଇଁ ଷ୍ଟେସନରେ ଘଟିଲା ଦଳାଚକଟା ? ଜାଣନ୍ତୁ କାରଣ…

ସମାଜ ଡିଜିଟାଲ ଡେସ୍କ: ନୂଆଦିଲ୍ଲୀ ଷ୍ଟେସନରେ ଶନିବାର ରାତିରେ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମହାକୁମ୍ଭକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଅସମ୍ଭାଳ ଭିଡ଼ ଯୋଗୁ ଦଳାଚକଟା ହେଲା ବୋଲି କୁହାଯାଉଛି। କିନ୍ତୁ ପ୍ରକୃତ କାରଣ କିଛି ଅଲଗା। ଶେଷ ମୁହୂର୍ତ୍ତରେ ଟ୍ରେନ ପହଞ୍ଚିବାର ପ୍ଲାଟଫର୍ମ ପରିବର୍ତ୍ତନ ହେବା ନେଇ ଘୋଷଣା କରାଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଯୋଗୁ ଦଳାଚକଟା ହୋଇଥିବା କୁହାଯାଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଉତ୍ତରାଞ୍ଚଳ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଉପାଧ୍ୟାୟ।
ହିମାଂଶୁ କହିଛନ୍ତି, ଶେଷ ମୁହୂର୍ତ୍ତରେ ପ୍ଲାଟଫର୍ମ ବଦଳାଯିବା ନେଇ କୌଣସି ଘୋଷଣା କରାଯାଇ ନାହିଁ। ଅନେକ ଯାତ୍ରୀ ଫୁଟ ଓଭରବ୍ରିଜ ଶିଡ଼ି ଦେଇ ୧୪ ନମ୍ବର ଏବଂ ୧୫ ନମ୍ବର ପ୍ଲାଟଫର୍ମକୁ ଆସୁଥିଲେ। ଶିଡ଼ିରେ କିଛି ଯାତ୍ରୀଙ୍କ ଗୋଡ଼ ଖସିଯିବାରୁ ସେମାନେ ପଡ଼ିଯାଇଥିଲେ। ଯାହାଫଳରେ ଅନ୍ୟ କିଛି ଯାତ୍ରୀ ବି ତଳେ ପଡ଼ିଯାଇଥିଲେ। ଏହା କ୍ଷଣିକ ମଧ୍ୟରେ ଦଳାଚକଟାର ରୂପ ନେଇଥିଲା। ଜଣକ ପରେ ଅନ୍ୟ ଜଣେ ଯାତ୍ରୀ ଚଢ଼ିଯିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୧୪ ଜଣ ମହିଳା ରହିଛନ୍ତି। ମୃତକଙ୍କ ମଧ୍ୟରେ ବିହାରର କେବଳ ୯ ଜଣ ଥିବାବେଳେ ଦିଲ୍ଲୀର ୭ ଜଣ ରହିଛନ୍ତି।