ଲୁହ ପୋଛୁଛି ଭଡ଼ା ଯୁବକ – Utkal Mail
ଜାପାନର ଟୋକିଓ ସ୍ଥିତ କାର୍ଯ୍ୟାଳୟଗୁଡ଼ିକରେ ଏକ ଭିନ୍ନ ପ୍ରକାରର ସେବା ଦେଖିବାକୁ ମିଳିଛି। ‘ଇକେମେସୋ ଡାନ୍ସି’ ନାମକ ଏହି ସେବା ଦ୍ବାରା ଜଣେ ଭାରାକ୍ରାନ୍ତ କର୍ମଜୀବୀ ଜଣେ ଆକର୍ଷଣୀୟ ସାଥୀଙ୍କୁ ପାଇ ନିଜ ଆଖିର ଲୁହ ପୋଛିବାର ସୁବିଧା ହାସଲ କରିପାରୁଛନ୍ତି। ଜାପାନର କର୍ମକ୍ଳାନ୍ତ ଚାକିରିଆମାନେ ୭,୯୦୦ ୟେନ୍ ବା ୪,୪୦୦ ଟଙ୍କା ବ୍ୟୟ କରି ଏହି ସେବା ଲାଭ କରିପାରିବେ। ଏହି ପେସାଦାର ଚାପ ଦୂରକାରୀ ‘ସୌମ୍ୟକାନ୍ତ ଯୁବକ’ମାନେ ଗ୍ରାହକଙ୍କ ଦୁଃଖରେ ଦୁଃଖୀ ହୋଇ ସମବେଦନାର ଲୁହ ଝରାଉଛନ୍ତି ଏବଂ ଆବେଗଭରା ସାନ୍ତ୍ବନା ପ୍ରଦାନ କରି ମନରେ ଶାନ୍ତି ଆଣି ପାରୁଛନ୍ତି। ହିରୋକି ତରାଇ ନାମକ ଜଣେ ଜାପାନୀ ବ୍ୟକ୍ତିଙ୍କ ଦ୍ବାରା ପ୍ରଥମେ ‘ଇକେମେସୋ ଡାନ୍ସି’ ସେବା ଆରମ୍ଭ କରାଯାଇଥିଲା, ଯିଏ ସାମୂହିକ କ୍ରନ୍ଦନର ଉପଶମକାରୀ ଶକ୍ତିକୁ ଅନୁଧ୍ୟାନ କରି ଏପରି ଅଭିନବ ବ୍ୟବସାୟ ଆରମ୍ଭ କରିଥିଲେ।
‘ରୁଇ-କାଟ୍ସୁ’ ବା ‘କାନ୍ଦ ଚିକିତ୍ସା’ ଦର୍ଶନତତ୍ତ୍ବ ଉପରେ ଏହି ବ୍ୟବସାୟ ପର୍ଯ୍ୟବସିତ। ଉଲ୍ଲେଖଯୋଗ୍ୟ, ୨୦୧୩ରେ ଅପରିଚିତମାନଙ୍କୁ ଏକାଠି କାନ୍ଦିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ତରାଇ ଦୁଃଖଦାୟକ ଚଳଚ୍ଚିତ୍ରଗୁଡ଼ିକର ମାଗଣା ପ୍ରଦର୍ଶନ ଆରମ୍ଭ କରିଥିଲେ। ସେ ଏହାକୁ ନେଇ ‘ଇକେମେନ୍ସୁ ଡାନ୍ସି’ ନାମକ ପୁସ୍ତକ ରଚନା କରିଛନ୍ତି। ପୁସ୍ତକଟିର ଆଶାତୀତ ସଫଳତା ପରେ ଟୋକିଓରେ ଏଭଳି ଅନୁରୂପ ସେବା ଦେଖିବାକୁ ମିଳୁଛି, ଯେଉଁଥିରେ ଯୌନ ସମ୍ପର୍କ ବିହୀନ ଆଲିଙ୍ଗନ, ଭଡ଼ାରେ ବନ୍ଧୁ ଆଦି ସେବା ପ୍ରଦାନ କରାଯାଉଛି। ଏହି ଅଣପାରମ୍ପରିକ ସେବା ମାଧ୍ୟମରେ ଘନିଷ୍ଠ ସମ୍ପର୍କର ଆବଶ୍ୟକତାକୁ ପୂରଣ କରାଯାଇପାରୁଛି ବୋଲି ଅନେକ ଲୋକ ଅନୁଭବ କରୁଛନ୍ତି।