ନୀତି

ବିଶ୍ବ ନାରିକେଳ ଦିବସ ଆଜି – Utkal Mail


ଆଜି ବିଶ୍ବ ନାରିକେଳ ଦିବସ। ନଡ଼ିଆ ବା ନାରିକେଳର ବହୁବିଧ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଉଲ୍ଲେଖଯୋଗ୍ୟ, ନଡ଼ିଆରୁ ବିଭିନ୍ନ ପ୍ରକାର ଉତ୍ପାଦ ପ୍ରସ୍ତୁତି ସହିତ ଏହାର ନରମ ଶସ ଓ ପାଣି ଠାରୁ ଆରମ୍ଭ କରି ଖୋଳପା ଓ କତା ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶର ବ୍ୟାପକ ବ୍ୟବହାର କରାଯାଇଥାଏ। ଅସାଧାରଣ ପୁଷ୍ଟିକର ଗୁଣ ପାଇଁ ଖ୍ୟାତ ନଡ଼ିଆର ଔଷଧୀୟ ଗୁଣ ମଧ୍ୟ ଅଦ୍ବିତୀୟ। ନଡ଼ିଆ ସଂସ୍କୃତରେ ‘କଳ୍ପବୃକ୍ଷ’ ବା ‘ସ୍ବର୍ଗବୃକ୍ଷ’ ଭାବେ ପରିଚିତ। ଏହି ଗଛ ଆମ ପାଇଁ ଖାଦ୍ୟ, ଇନ୍ଧନ, ଔଷଧ, ପ୍ରସାଧନ ସାମଗ୍ରୀ ଓ ନିର୍ମାଣ ସାମଗ୍ରୀ ସହିତ ଆବଶ୍ୟକ ସମ୍ବଳ ମଧ୍ୟ ଯୋଗାଇଥାଏ। ଏପରି ଉପକାରୀ ଫଳର ଗୁରୁତ୍ବକୁ ସ୍ବୀକୃତି ଦେବା ଲାଗି ଏସୀୟ ପ୍ରଶାନ୍ତ ମହାସାଗରୀୟ ନଡ଼ିଆ ସଂଘ ଦ୍ବାରା ୨୦୦୯ ମସିହାରୁ ପ୍ରତି ବର୍ଷ ସେପ୍‌ଟେମ୍ବର ୨ ତାରିଖରେ ବିଶ୍ବ ନାରିକେଳ ଦିବସ ପାଳନର ପରିକଳ୍ପନା କରାଯାଇଥିଲା।

ଏହା ବିଶ୍ବର ବିଭିନ୍ନ ସ୍ଥାନରେ ନଡ଼ିଆର ଆର୍ଥିକ, ପୁଷ୍ଟିକର ଓ ସାଂସ୍କୃତିକ ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ସହ ନଡ଼ିଆରୁ ମିଳୁଥିବା ବିବିଧ ଉତ୍ପାଦ ଉପରେ ଆଲୋକପାତ କରିଥାଏ। ଏହି ଅବସରରେ ନଡ଼ିଆ ଚାଷ ଓ ତତ୍‌ ସମ୍ପର୍କିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥାଏ। ଉଦ୍ଦେଶ୍ୟ ହେଉଛି, ନଡ଼ିଆ ଚାଷର ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଯଦ୍ଦ୍ବାରା ନଡ଼ିଆର ନିରନ୍ତର ଉପଲବ୍‌ଧତା ଓ ଆଗାମୀ ପିଢ଼ି ପାଇଁ ଏହାର ଲାଭ ସୁନିଶ୍ଚିତ ହୋଇପାରିବ। ସମ୍ପ୍ରତି ୮୦ରୁ ଅଧିକ ଦେଶରେ ନଡ଼ିଆ ଚାଷ କରାଯାଉଥିବା ବେଳେ ଭାରତ ହେଉଛି ତୃତୀୟ ସର୍ବାଧିକ ନଡ଼ିଆ ଉତ୍ପାଦନକାରୀ ରାଷ୍ଟ୍ର। ଭାରତରେ ବିଶେଷ କରି କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ରାଜ୍ୟରେ ଏହି ଦିବସ ଉତ୍ସାହର ସହ ପାଳନ କରାଯାଇଥାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button