ମଣିପୁର ହିଂସା: ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ଗୁଳି ଚୋଟରେ ୩ଜଣ କୁକି-ଜୋ ଜନଜାତି ବ୍ୟକ୍ତି ନିହତ – Utkal Mail
ଇମ୍ଫାଲ୍: ମଣିପୁରର କାଙ୍ଗ୍ପୋପ୍କି ଜିଲ୍ଲାରେ ଆଜି ସକାଳେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ଗୁଳିଚୋଟରେ କୁକି-ଜୋ ସମ୍ପ୍ରଦାୟର ୩ଜଣ ଆଦିବାସୀ ନିହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ସଂଗ୍ରହ କରି ‘ପିଟିଆଇ’ ରିପୋର୍ଟ କରିଛି।
‘ପିଟିଆଇ’ ରିପୋର୍ଟ ଅନୁସାରେ, ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ବନ୍ଧୁକଧାରୀମାନେ ଗୋଟାଏ ଗାଡ଼ିରେ ଆସି ଇମ୍ଫାଲର ପଶ୍ଚିମ ପ୍ରାନ୍ତ ଏବଂ କାଙ୍ଗ୍ପୋପ୍କିର ସୀମାନ୍ତ ଅନ୍ତର୍ଗତ ଇରେଙ୍ଗ୍ ଓ କରମ ଅଞ୍ଚଳ ମଧ୍ୟରେ ଥିବା ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଏହି ଗାଁ ପାହାଡ଼ ପର୍ବତ ଘେରା ଓ ଆଦିବାସି ଅଧ୍ୟୁଷିତ।

ସୂଚନାଯୋଗ୍ୟ, କୁକିମାନେ ବସବାସ କରୁଥିବା ଅଞ୍ଚଳରେ ଥିବା ମେଇତେଇମାନଙ୍କ ଘର ପୁନଃଦଖଲ କରିବା ଲାଗି କର୍ଫ୍ୟୁ ଅମାନ୍ୟ କରି ଚୁରାଚାନ୍ଦପୁର-ବିଷ୍ଣୁପୁର ସୀମାନ୍ତରେ ସେନା ବେରିକେଡ୍ ଭାଙ୍ଗିବା ପାଇଁ ଉପତ୍ୟକାସ୍ଥିତ ଏକ ସଙ୍ଗଠନଦ୍ବାରା ଉଦ୍ବୁଦ୍ଧ ହୋଇ ଆସୁଥିବା ୩୦,୦୦୦ରୁ ଅଧିକ ଜନତାଙ୍କୁ ଅଟକାଇବାକୁ ନିରାପତ୍ତା ବଳ ଉଦ୍ୟମ କରିବା ବେଳେ ୨୮ଜଣ ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ଦିନ ପରେ ଆଜିର ଗୁଳିକାଣ୍ଡ ଘଟଣା ଘଟିଛି।
ସଂଖ୍ୟାଗରିଷ୍ଠ ମେଇତେଇ ସମ୍ପ୍ରଦାୟ ଓ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଯୋଗୁଁ ଏଯାବତ୍ ୧୬୦ ଜଣ ପ୍ରାଣ ହରାଇଲେଣି।