ଅଗଷ୍ଟ ୧୫ରେ ମୁଁ ପୁଲିସ ଦ୍ବାରା ଦୁଷ୍କର୍ମର ଶିକାର ହେଲି: ବିବାହିତ ମହିଳା – Utkal Mail
ଦୌସା: ରାଜସ୍ଥାନରୁ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ନିକଟରେ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀ ପୁଲିସ କର୍ମଚାରୀଙ୍କ ନାମ ମହେଶ ଗୁର୍ଜର। ସେ ସୋଡାଲା ବାସଡ଼ାରେ ବସବାସ କରନ୍ତି ବୋଲି ଜଣାପଡ଼ିଛି।
ବିବାହିତ ମହିଳା ସିକନ୍ଦରା ଥାନାରେ ନିୟୋଜିତ ଥିବା ମହେଶ ଗୁର୍ଜରଙ୍କ ବିରୋଧରେ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ସେ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି କି, ‘ଅଗଷ୍ଟ ୧୫ ତାରିଖ ରାତିରେ ମୋର ଶାଶୁ ଓ ସ୍ବାମୀ ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। କୌଣସି ସୂତ୍ରରୁ ମହେଶ ଗୁର୍ଜର ମୁଁ ଏକାଥିବା ଜାଣି ଘରେ ପ୍ରବେଶ କରିଥିଲେ। ମୁଁ ଚିତ୍କାର କରିବାରୁ ସେ ମୋତେ ଗୁଳି ମାରିଦେବେ ବୋଲି ଧମକ ଦେଇଥିଲେ। ଏହାପରେ ମୋ ସହିତ ଦୁଷ୍କର୍ମ କରିଥିଲେ। ମୁଁ କାନ୍ଦିବାରୁ ମୋ କାନ୍ଦ ଶବ୍ଦ ଶୁଣି ଆଖପାଖର ଲୋକେ ଘର ପାଖକୁ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା କନଷ୍ଟେବଳଙ୍କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଥିଲେ।’
ଅଗଷ୍ଟ ୧୬ ତାରିଖରେ ବିବାହିତ ପୀଡିତ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ କନଷ୍ଟେବଳ ମହେଶ ଗୁର୍ଜରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ରେ ମାମଲା ରୁଜୁ କରାଯାଇଛି।