ଦେଶ ବିଦେଶ

ଇଲିଶି ସୁଆଦ ପୂରୁଛି ମିଆଦ!

ପୁଲିସ ଚାକିରିକୁ ନେଇ ଓଡ଼ିଶାରେ ଏକ ଲୋକପ୍ରିୟ ଢଗ ପ୍ରଚଳିତ- ‘ଚାକିରି କରିବ ପୁଲିସି, ମାଛ ଖାଇବ ଇଲିଶି’। ଠିକ୍ ସେମିତି ଲୋଭୀର ନିକୁଚ୍ଛିଆପଣିଆ ଦର୍ଶାଇବାକୁ କୁହାଯାଏ- ‘ରଙ୍କା ପାଇଛି ଇଲିଶି, କଣ୍ଟାମଣ୍ଟା କରି ଗିଲିସି’। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ଇଲିଶି ମାଛକୁ ନେଇ ଲୋକପ୍ରିୟ ଢଗଟିଏ ଅଛି।

ତାହା ହେଉଛି-‘ପୁସ୍ତେଲୁ ଅମ୍ମି ଅାୟିନା ପୁଲସା ତିନୋଚୁ’ ଅର୍ଥାତ୍ ମଙ୍ଗଳସୂତ୍ର ବିକି ଇଲିଶି ଖାଇଲେ ବି ଲାଭ ଅଛି। ଏହି ଢଗଢ଼ମାଳି ସ୍ପଷ୍ଟ ସୂଚାଏ କି ଇଲିଶି ମାଛର ତିଅଣ ଓଡ଼ିଆ ଓ ଆନ୍ଧ୍ରବାସୀଙ୍କୁ ଭାରି ସୁଆଦିଆ ଲାଗେ। ଇଏ ଗଲା ଆମ ରାଜ୍ୟ ଓ ଆନ୍ଧ୍ରର କଥା, କିନ୍ତୁ ଇଲିଶି ମାଛକୁ ଯଦି ଦେଶର କେଉଁ ରାଜ୍ୟର ଅଧିବାସୀ ସବୁଠାରୁ ଅଧିକ ଭଲପାଉଥାଆନ୍ତି, ତାହା ହେଉଛି ପଶ୍ଚିମବଙ୍ଗ। ବଙ୍ଗୀୟମାନଙ୍କର ଇଲିଶି ମାଛ ବ୍ୟଞ୍ଜନ ଖୁବ୍ ପ୍ରିୟ। ଖାସ୍ କରି ଦୁର୍ଗାପୂଜା ସମୟରେ ସେଠାରେ ଇଲିଶି ମାଛର ଚାହିଦା କାହିଁରେ କ’ଣ! ଏହି ଚାହିଦା ପୂରଣ କରିବାକୁ ପଡ଼ୋଶୀ ଦେଶ ବାଂଲାଦେଶରୁ ସେଠାକୁ ହଜାର ହଜାର ଟନ୍ ଇଲିଶି ମାଛ ଆସିଥାଏ। ଅହମିୟା, ବଙ୍ଗଳା ଓ ଓଡ଼ିଆ ଭାଷାରେ ଏହି ମାଛର ନାଁ ଇଲିଶି ହୋଇଥିବା ବେଳେ ସିନ୍ଧି ଭାଷାରେ ପଲ୍ଲାଓ ମାଛ, ତାମିଲ ଭାଷାରେ ଉଲ୍ଲା ମାଛ, ତେଲୁଗୁ ଭାଷାରେ ପୁଲସା ମାଛ କହନ୍ତି। ଏହାଛଡ଼ା, କେହି କେହି ଇଲିଶିକୁ ଇଲ୍ଲି, ଏଲ୍ଲିସ୍ ଓ ହିଲ୍ସା କହନ୍ତି।

ବାଂଲାଦେଶର ‘ଇଲିଶି ପଲିସି’ ଫେଲ୍

ବର୍ଷକୁ ବର୍ଷ ଇଲିଶି ମାଛ ଉତ୍ପାଦନ ହ୍ରାସ ଓ ବିଲୁପ୍ତି ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ଭାରତ ସହିତ ବାଂଲାଦେଶ ଆରମ୍ଭ କରିଥିବା ଇଲିଶି କୂଟନୀତି ବେଶ୍ ଚର୍ଚ୍ଚିତ ହୋଇଛି। ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ସମେତ ଭାରତର ଅନ୍ୟ କେତେକ ସ୍ଥାନରେ ଇଲିଶି ମାଛର ବ୍ୟାପକ ଚାହିଦା ଥାଏ। କିନ୍ତୁ, ଭାରତ ବିରୋଧୀ ଭାବେ ପରିଚିତ ବାଂଲାଦେଶର ରାଷ୍ଟ୍ରମୁଖ୍ୟ ପ୍ରଫେସର୍ ମହମ୍ମଦ୍ ୟୁନୁସ୍ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସୁ ଆସୁ ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ସ୍ଥାନକୁ ହେବାକୁ ଥିବା ପ୍ରାୟ ୩୦୦୦ ଟନ୍ ଇଲିଶି ମାଛ ରପ୍ତାନି ଉପରେ କଟକଣା ଲଗାଇଥିଲେ। ବାହାନା ଥିଲା ନିଜ ଦେଶର ଚାହିଦା ମେଣ୍ଟାଇବା। କିନ୍ତୁ ସେ ଭୁଲି ଯାଇଥିଲେ ଯେ, ଏହି ସମୟରେ ଇଲିଶି ମାଛ ରପ୍ତାନି ବାଂଲାଦେଶ ଅର୍ଥନୀତିକୁ ସମୃଦ୍ଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେ ଭାବିଥିଲେ ଇଲିଶି ମାଛ ରପ୍ତାନି ପାଇଁ ଭାରତ ସରକାର ତାଙ୍କୁ ଅନୁରୋଧ କରିବେ। ମାତ୍ର, ଏହାକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ କି, ଭାରତ ବାଂଲାଦେଶକୁ ଇଲିଶି ମାଛ ପାଇଁ ଅନୁରୋଧ କଲାନାହିଁ। ମାତ୍ର ମହମ୍ମଦ ୟୁନୁସ୍ଙ୍କ ଏହି ନିଷ୍ପତ୍ତିକୁ ନେଇ ବାଂଲାଦେଶରେ ଘୋର ଅସନ୍ତୋଷ ପ୍ରକାଶ ପାଇଲା। ନିରୁପାୟ ମହମ୍ମଦ୍ ୟୁନୁସ୍ ସରକାର ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରି ଇଲିଶି ମାଛ ରପ୍ତାନି ଉପରେ ଲଗାଇଥିବା କଟକଣା ଉଠାଇ ଦେଇଛନ୍ତି। ପୂଜା ସମୟରେ (ସେପ୍ଟେମ୍ବର ଓ ଅକ୍ଟୋବର) ବାଂଲାଦେଶ ଭାରତର ଇଲିଶି ଚାହିଦା ପୂରଣ କରୁଥିବା ପରମ୍ପରା ବହୁ ବର୍ଷରୁ ରହିଆସିଛି। ସ୍ମରଣଯୋଗ୍ୟ, ୨୦୧୨ ମସିହାରେ ତତ୍କାଳୀନ ବାଂଲା ସରକାର ମଧ୍ୟ ଇଲିଶି ରପ୍ତାନି ଉପରେ କଟକଣା ଲଗାଇଥିଲେ, କିନ୍ତୁ ପାର୍ବଣଋତୁ ଲାଗି ନିର୍ଦ୍ଦିଷ୍ଟ ପରିମାଣର ଇଲିଶି ମାଛ ରପ୍ତାନି ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ।

ବାଂଲାଦେଶର ଜାତୀୟ ମାଛ ତଥା ପଶ୍ଚିମବଙ୍ଗର ରାଜ୍ୟ ମାଛ ଇଲିଶିରେ ପ୍ରସ୍ତୁତ ବ୍ୟଞ୍ଜନ ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶବାସୀଙ୍କର ଖୁବ୍ ପ୍ରିୟ। ବାଂଲାଦେଶ, ଭାରତ, ମିଆଁମାର୍, ପାକିସ୍ତାନ, ଇରାନ୍, ଇରାକ୍, କୁଏତ୍, ବାହାରିନ୍, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ୍ ଆଦି ବିଶ୍ବର ୧୧ଟି ଦେଶରେ ଇଲିଶି ମାଛ ଦେଖାଯାଇଥାଏ। ତନ୍ମଧ୍ୟରୁ ବାଂଲାଦେଶୀ ଇଲିଶି ମାଛର ଆକାର ଓ ସ୍ବାଦ ଅତୁଳନୀୟ। ତେଣୁ, ସମଗ୍ର ବିଶ୍ବର ବିଭିନ୍ନ ଦେଶକୁ ଯୋଗାଣ ହେଉଥିବା ଇଲିଶି ମାଛର ୯୭% ଧରାଯାଇଥାଏ ବାଂଲାଦେଶର ପଦ୍ମା, ଯମୁନା ଓ ମେଘନା ନଦୀରୁ। ସାଧାରଣତଃ, ଗୋଟାଏ ଇଲିଶି ମାଛର ହାରାହାରି ଓଜନ ୨୫୦ ଗ୍ରାମ୍ ହୋଇଥିବା ବେଳେ ଏହା ୧ କିଲୋ ଓଜନ ହେବାକୁ ୩ରୁ ୪ ବର୍ଷ ସମୟ ନେଇଥାଏ। ଏବେ ଏକ କିଲୋ ଓଜନର ଇଲିଶି ମାଛ ମୂଲ୍ୟ ପ୍ରାୟ ୨୮୦୦ ଟଙ୍କା ଧରିଲାଣି।
ଚାହିଦାକୁ ଚାହିଁ ମାତ୍ରାଧିକ ଧରାଯାଉଥିବାରୁ ଇଲିଶି ମାଛ ଦୁର୍ଲଭ ହୋଇଆସିଲାଣି। ସମ୍ପ୍ରତି କେବଳ ବାଂଲାଦେଶ-ଭାରତ-ମିଆଁମାର୍ ଅଞ୍ଚଳରେ ହିଁ ଅଧିକ ପରିମାଣରେ ଇଲିଶି ଦେଖାଯାଉଛନ୍ତି। ନଈରେ ଆନିକଟ ଓ ଜଳଭଣ୍ଡାର ନିର୍ମାଣ ହେବାରୁ ଦ୍ରୁତ ପରିଭ୍ରମଣଶୀଳ ଇଲିଶି ମାଛ ଯାତାୟାତରେ ବାଧା ଉପୁଜୁଛି। ଫଳରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ସେହିପରି, ଜଳ ପ୍ରଦୂଷଣ ବି ଇଲିଶି ବଂଶ ବିସ୍ତାରରେ ପ୍ରତିବନ୍ଧକ ସାଜୁଛି।

ଏବେ ବିଶ୍ୱବ୍ୟାପୀ ଇଲିଶି ମାଛ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଇଲିଶି ମାଛ ଡିମ୍ବ ଫୁଟିବା ପାଇଁ ହାରାହାରି ୨୩ ଡିଗ୍ରି ଉଷ୍ମ ମଧୁରଜଳ ଅନୁକୂଳ। ଏଥିରେ ୨୩ରୁ ୨୬ ଘଣ୍ଟା ମଧ୍ୟରେ ଇଲିଶି ଡିମ୍ବ ଫୁଟି ଛୁଆ ବାହାରେ। ତେଣୁ, ଇଲିଶି ବଂଶ ରକ୍ଷା କରିବାରେ ଜଳର ତାପମାତ୍ରା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କହିବାକୁ ଗଲେ, ଇଲିଶି ବଂଶ ବିସ୍ତାର ପାଇଁ ଶୀତଋତୁ ହିଁ ପ୍ରକୃଷ୍ଟ ସମୟ। ତେଣୁ, ଭାରତ ସମେତ ଦକ୍ଷିଣ ଏସିଆରେ ଏହାର ବର୍ଦ୍ଧିଷ୍ଣୁ ଚାହିଦାକୁ ନେଇ ସାମୁଦ୍ରିକ ପ୍ରାଣୀ ସଂରକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଭିନ୍ନ ଦେଶର ସରକାର ମଧ୍ୟ ଇଲିଶି ମାଛ ମରା ଉପରେ କଟକଣା ଲାଗୁ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button