କ୍ରାଇମ

ମାତିଛନ୍ତି ଲୁଟେରା ଗ୍ୟାଙ୍ଗ: ପୂର୍ବତନ ପୁଲିସ ଡିଜିଙ୍କ ଘରେ କଳାକନା ବୁଲାଇଲେ – Utkal Mail


ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ ଆପାର୍ଟମେଣ୍ଟରେ ପଶି ଲୁଟିଲେଣି ତ କେତେବେଳେ ରାସ୍ତାରୁ ଛିନ୍‌ତାଇ କଲେଣି। ପୁଣି କେତେବେଳେ ହଷ୍ଟେଲ୍‌ର ସୁରକ୍ଷାକୁ ଭେଦ କରି ତ ଦୋକାନ ସଟର ତାଡ଼ି ଲୁଟିଲେଣି। କେହି ପ୍ରତିବାଦ କଲେ ହଣାକଟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଆଉ ଏହି ଲୁଟେରା ଗ୍ୟାଙ୍ଗ ଉପଦ୍ରବରୁ ବର୍ତ୍ତିପାରି ନାହାନ୍ତି ପୂର୍ବତନ ଡିଜିପି ମନମୋହନ ପ୍ରହରାଜ। ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ପୂର୍ବତନ ଡିଜିପିଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଲୁଟେରାଙ୍କ ଆତଙ୍କ ଏବେ କମିସନରେଟ୍‌ ପୁଲିସର ନିଦ ହଜାଇଦେଇଛି।

ସୂଚନା ଅନୁସାରେ, ପାଖାପାଖି ସପ୍ତାହ ତଳେ ନୂଆପଲ୍ଲୀରେ ରହୁଥିବା ପୂର୍ବତନ ଡିଜିପି ଶ୍ରୀ ପ୍ରହରାଜ ଅପରାହ୍ନ ପ୍ରାୟ ୩ଟା ବେଳେ ପରିବାର ସହ ବାହାରକୁ ଯାଇଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନେ ଘରକୁ ଫେରିବା ବେଳକୁ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ। ଏନେଇ ସେ ଥାନାରେ ଜଣାଇବା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ଲୁଟେରାଙ୍କର କୌଣସି ପତ୍ତା ମିଳିପାରିନାହିଁ।

ଯଦିଓ ଘଟଣାଟି ୭/୮ଦିନ ତଳର, ତେବେ ପୁଲିସ ଏହି ଘଟଣାକୁ ଯଥା ସମ୍ଭବ ଚାପି ଦେବାକୁ ଉଦ୍ୟମ କରିଛି। ଏପରିକି ଲୁଟେରା ଗ୍ୟାଙ୍ଗ ଧରାପଡ଼ିନଥିବା ବେଳେ ପୂର୍ବତନ ଡିଜିପିଙ୍କୁ ସନ୍ତୁଷ୍ଟ କରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ପୁଲିସର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି। ଅନ୍ୟପଟେ ଏନେଇ ଥାନା ଆଇଆଇସି ସତ୍ୟରଂଜନ ପ୍ରଧାନ କହିଛନ୍ତି, ସେଭଳି କିଛି ଘଟି ନାହିଁ। ପ୍ରତିଦିନ ରାତି ପାଟ୍ରୋଲିଂ ହେଉଛି। ଏହି ସମୟରେ କିଛି ଲୁଟେରାଙ୍କୁ ଗିରଫ କରାଯାଉଛି। ତେଣୁ ପୂର୍ବତନ ଡିଜିପିଙ୍କ ଘର ନିକଟରୁ କେତେଜଣଙ୍କୁ ଗିରଫ କରାଯାଇଥିବାରୁ ଏଭଳି ଚର୍ଚ୍ଚା ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button