ବିଶ୍ୱ ବ୍ୟାଙ୍କର ରିପୋର୍ଟ: ଆମେରିକା ଜିଡିପିର ଏକ ତୃତୀୟାଂଶ ହେବା ପାଇଁ ଭାରତକୁ ଲାଗିବ ୭୫ ବର୍ଷ

ନୂଆଦିଲ୍ଲୀ,୦୨/୮: ବିକଶିତ ଉଚ୍ଚ ଆୟ ରାଷ୍ଟ୍ରରେ ପରିଣତ ହେବାକୁ ଭାରତ ଓ ଚୀନ୍ ସମେତ ୧୦୮ ରାଷ୍ଟ୍ରଙ୍କୁ ସେମାନଙ୍କ ଚିରାଚରିତ ଅର୍ଥନୈତିକ ମଡେଲ୍କୁ ବଦଳାଇବାକୁ ପଡ଼ିବ । ଏହା ନ କଲେ ବର୍ତ୍ତମାନ ମୂଲ୍ୟରେ ଆମେରିକା ଜିଡିପିର ଏକ ତୃତୀୟାଂଶରେ ପହଞ୍ଚିବା ପାଇଁ ଭାରତକୁ ୭୫ ବର୍ଷ ସମୟ ଲାଗିବ । ଚୀନ୍କୁ ଏଥିପାଇଁ ୧୦ ବର୍ଷରୁ ଅଧିକ ସମୟ ଏବଂ ଇଣ୍ଡୋନେସିଆକୁ ୭୦ ବର୍ଷ ସମୟ ଲାଗିବ।
ମଧ୍ୟମ ଆୟ ରାଷ୍ଟ୍ର ଭାବେ ଛନ୍ଦି ହେବା ସହିତ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ପ୍ରଗତି ବାଧା ପାଇବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ‘ୱାର୍ଲଡ ଡେଭଲପ୍ମେଣ୍ଟ ରିପୋର୍ଟ-୨୦୨୪’ରେ ଉଲ୍ଲେଖ କରାଯାଇଛି । ଭାରତ ପକ୍ଷରୁ ରଖାଯାଇଥିବା ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଲକ୍ଷ୍ୟ ପ୍ରଶଂସାଯୋଗ୍ୟ ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି । ତେବେ ଉଚ୍ଚ ଆୟ ରାଷ୍ଟ୍ର ପାଇଁ ଭାରତକୁ ‘୩ଆଇ ରଣନୀତି’ ଆପଣାଇବାକୁ ପଡ଼ିବ ବୋଲି ଏହା କହିଛି । ଏହା ହେଉଛି ନବସୃଜନ, ନିବେଶ ଓ ସଂଚାର । ପ୍ରଗତିଶୀଳ ଏବଂ ଅତି ଯତ୍ନର ସହ ପ୍ରସ୍ତୁତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦେଇଛି ବିଶ୍ୱବ୍ୟାଙ୍କ ।
ଏଥିରେ କୁହାଯାଇଛି ଯେ, ଉଚ୍ଚ-ଆୟ ରାଷ୍ଟ୍ରର ମାନ୍ୟତା ହାସଲ କରିବା ପାଇଁ ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତ, ଚୀନ୍, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସମେତ ୧୦୦ରୁ ଊଦ୍ଧ୍ୱର୍ ରାଷ୍ଟ୍ରଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଲକ୍ଷ୍ୟ ରଖିଛନ୍ତି ଉକ୍ତ ଦିଗରେ ଥିବା ଆହ୍ୱାନକୁ ନେଇ ଏ ରିପୋର୍ଟରେ ଆଲୋକପାତ କରାଯାଇଛି । ଗତ ସପ୍ତାହରେ ନୀତି ଆୟୋଗ ଏହାର ଏକ ରିପୋର୍ଟ ଜାରି କରି କହିଥିଲା ଯେ, ମଧ୍ୟମ ଆୟ ରାଷ୍ଟ୍ରରୁ ବିକଶିତ ରାଷ୍ଟ୍ର ପାଲଟିବାକୁ ଭାରତର ବାର୍ଷିକ ମୁଣ୍ଡ ପିଛା ଆୟ ୧୮,୦୦୦ ଡଲାର ହେବା ଦରକାର ।
ଏଥିସହିତ ୨୦ରୁ ୩୦ ବର୍ଷ ପାଇଁ ନିରନ୍ତର ୭ରୁ ୧୦% ଅଭିବୃଦ୍ଧି ଲୋଡ଼ା । ବିକଶିତ ଭାରତ ପାଇଁ ୨୦୪୭ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୩୦ ଟ୍ରିଲିୟନ ଡଲାର ହେବା ଦରକାର । ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଆକାର ରହିଛି ୩.୩୬ ଟ୍ରିଲିୟନ ଡଲାର । ବିକଶିତ ଭାରତ ପାଇଁ ଜିଡିପି ବର୍ତ୍ତମାନଠାରୁ ୯ ଗୁଣା ବଢ଼ିବା ଦରକାର । ସେହିଭଳି ମୁଣ୍ଡ ପିଛା ଆୟ ବର୍ତ୍ତମାନର ୨,୩୯୨ ଡଲାରରୁ ୮ ଗୁଣା ବଢ଼ିବା ଜରୁରୀ ବୋଲି ନୀତି ଆୟୋଗ ପ୍ରକାଶ କରିଥିଲା । ବିଶ୍ୱ ବ୍ୟାଙ୍କ ଅନୁସାରେ, ଭାରତ ସମେତ ଅନ୍ୟାନ୍ୟ ମଧ୍ୟମ ଆୟ ରାଷ୍ଟ୍ରରେ ଅର୍ଥନୈତିକ ଅଭିବୃଦ୍ଧି ବଢୁନାହିଁ । ଆୟ ବଢ଼ିବା ସହ ଏହା ମନ୍ଥର ହେଉଛି । ଦଶନ୍ଧି ଦଶନ୍ଧି ଧରି ଏହି ଧାରା ବଜାୟ ରହିଛି।
ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଇନ୍ଦର୍ମିତ୍ ଗିଲ୍ କହିଛନ୍ତି ଯେ, ଅଧିକାଂଶ ମଧ୍ୟମ ଆୟ ରାଷ୍ଟ୍ର ଶତାବ୍ଦୀ ଶତାବ୍ଦୀ ଧରି ପ୍ରଚଳିତ ଚିରାଚରିତ ରଣନୀତି ଉପରେ ଭରସା କରି ରହିଛନ୍ତି । ନିବେଶ ବଢ଼ାଇବା ପାଇଁ ଡିଜାଇନ୍ ହୋଇଥିବା ନୀତିଗୁଡ଼ିକ ଉପରେ ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି । ପୁରୁଣା ଢ଼ାଞ୍ଚା ସହିତ ଅଟଳ ରହିଲେ ଅଧିକାଂଶ ବିକାଶମୁଖୀ ରାଷ୍ଟ୍ର ଚଳିତ ଦଶନ୍ଧିର ମଧ୍ୟଭାଗ ସୁଦ୍ଧା ସମୃଦ୍ଧ ରାଷ୍ଟ୍ର ପାଲଟିବାର ଦୌଡ଼ରେ ମନ୍ଥର ହୋଇଯିବେ ।