ଦେଶ ବିଦେଶ

ମୁର୍ଶିଦାବାଦକୁ ନେଇ କେନ୍ଦ୍ର ସତର୍କ: ହିଂସା ପଛରେ ବାଂଲାଦେଶୀ ଚରମପନ୍ଥୀ

ନୂଆଦିଲ୍ଲୀ: ୱକଫ୍‌ ଆ‌ଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ଭୟଙ୍କର ହିଂସା ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏଥିରେ ବାଂଲାଦେଶୀ ଚରମପନ୍ଥୀଙ୍କ ହାତ ରହିଛି। ଏ ବାବଦ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ କେନ୍ଦ୍ର ସରକାର ଏହି ମାମଲାରେ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ରିପୋର୍ଟ ପାଇବା ମାତ୍ରେ ସରକାର ବାଂଲାଦେଶ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜା‌ୟ ରଖିବାପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସୀମା ଅଞ୍ଚଳରେ ଅନୁପ୍ରବେଶ ରୋକିବାକୁ ବିଏସ୍‌ଏଫ୍‌ ହାଇଆଲର୍ଟରେ ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୨ ଏବଂ ୧୩ ତାରିଖରେ ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଭୟାନକ ହିଂସା ଘଟିଥିଲା ଏବଂ ୩ ଜଣଙ୍କୁ ବର୍ବରତାର ସହ ହତ୍ୟା କରାଯାଇଥିଲା। ହରଗୋବିନ୍ଦ  ଦାସ (୭୨) ଏବଂ ତାଙ୍କ ପୁଅ ଚନ୍ଦନ(୪୦)ଙ୍କୁ ଘରେ ପଶି ଦଙ୍ଗାକାରୀମାନେ ଅତି ବର୍ବରତାର ସହ ହତ୍ୟା କରିଥିଲେ। ଏହି ମାମଲାରେ ୨୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି ଏବଂ ୧୧ଟି ଏତଲା ରୁଜୁ ହୋଇଛି। ଡିଜିପି ରାଜୀବ କୁମାର ସ୍ପଷ୍ଟ କରିଛନ୍ତି ଯେ ଏବେ ମୁର୍ଶିଦାବାଦରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ତେବେ ବାଂଲାଦେଶୀ ଚରମପନ୍ଥୀମାନେ ଏହି ଅଂଚଳରେ ସକ୍ରିୟ ଥିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଷଡ୍‌ଯନ୍ତ୍ର କରୁଥିବାରୁ କେତେବେଳେ କିଭଳି ପରିସ୍ଥିତି ସୃଷ୍ଟି ହେବ କହିହେଉନାହିଁ। ଅନ୍ୟପକ୍ଷେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା‌ରେ ଗତକାଲି ୱକଫ୍‌ ଆଇନକୁ ବିରୋଧରେ କରି ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ ସମୟରେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ୮ ଜଣ ପୁଲିସ ଆହତ ହୋଇଛନ୍ତି। ଉତ୍ୟକ୍ତ ଜନତା ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button