ଓଡିଶା

ଶିମିଳିପାଳରେ ବେଆଇନ ଅଫିମ ଚାଷ: ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କଲା ମିଳିତ ଟିମ୍‌

ଯଶିପୁର: ବେଆଇନ ଅଫିମ ଚାଷ ନେଇ ଶିମିଳିପାଳ ବନାଞ୍ଚଳ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ପୁଲିସ ଓ ଯଶିପୁର ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଗଞ୍ଜେଇ ମାଫିଆ ଯେ ସକ୍ରିୟ ଅଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ସୂଚନା ଅନୁସାରେ, ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଅଫିମ ଚାଷ ହେଉଥିବା ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍‌ ମୟୂରଭଞ୍ଜ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କରଞ୍ଜିଆ ଏସ୍‌ଡିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ବନ ବିଭାଗ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଯଶିପୁର ଆଇଆଇସି ସଂଯୁକ୍ତା ମହାଳିକ ଏବଂ ଟିମ୍‌ର ଅନ୍ୟ ସଦସ୍ୟମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି ପଞ୍ଚାୟତ ବନ୍ଦିରାବସା ଓ ଅସନବଣିଠାରେ ଚଢ଼ାଉ କରିଥିଲେ।

ସେଠାରେ ପାଖାପାଖି ଦେଢ଼ ଏକର ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ନଷ୍ଟ କରିଥିଲେ। ନଷ୍ଟ ହୋଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏଥିରୁ ପ୍ରାୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅଫିମ ଉତ୍ପନ୍ନ ହୋଇଥାନ୍ତା ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅଫିମ ଚାଷରେ ସଂପୃକ୍ତ ଥିବା ବ୍ୟକ୍ତି ପୁଲିସ ହାତରେ ଧରା ପଡ଼ିନଥିବାବେଳେ ଯଶିପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଲିସ, ଅବକାରୀ, ରାଜସ୍ୱ ବିଭାଗ ମିଳିତ ଟିମ୍ ଗତବର୍ଷ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଅନ୍ୟୁନ ୧୦ ଥର ଚଢ଼ାଉ କରି ପ୍ରାୟ ୩୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରିଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button