ଦେଶ ବିଦେଶ

ମତ ପାର୍ଥକ୍ୟ ଭୁଲି ଦଳର ସଫଳତା ପାଇଁ କାର୍ଯ୍ୟ କର: ଖଡ଼ଗେ – Utkal Mail


ହାଇଦ୍ରାବାଦ: ମତ ପାର୍ଥକ୍ୟ ଓ ବ୍ୟକ୍ତିଗତ ସ୍ବାର୍ଥକୁ ଭୁଲି ଏକଜୁଟ୍‌ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ‌ଦଳର ପ୍ରମୁଖ ନେତାଙ୍କ ବିରୋଧରେ ଗଣମାଧ୍ୟମରେ ବିବୃତି ଦେବାରୁ ନେତାମାନେ ଦୂରେଇ ରହିବା ଦରକାର। ଏହା ନହେଲେ ଦଳର ସ୍ବାର୍ଥ କ୍ଷତିଗ୍ରସ୍ତ ହେବ। ଏକଜୁଟ୍‌ ହେବାକୁ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକଛତ୍ରବାଦ ସରକାରକୁ ଗାଦିରୁ ହଟାଇ ଦେବାକୁ ସେ ଦଳର ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।

କର୍ଣ୍ଣାଟକ ଭଳି ଶୃଙ୍ଖଳିତ ଭାବେ ଲଢ଼ିଲେ କଂଗ୍ରେସ ବିରୋଧୀଙ୍କୁ ହରାଇ ପାରିବ। ଲୋକମାନେ ଏବେ ବିକଳ୍ପ ‌ଖୋଜୁଛନ୍ତି। କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ କଂଗ୍ରେସକୁ ମିଳିଥିବା ବିଜୟ ଏହାର ଏକ ସ୍ପଷ୍ଟ ପ୍ରମାଣ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଦଳ ପୂର୍ଣ୍ଣ କ୍ଷମତାର ସହିତ ପ୍ରଚାର କରି ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ଆହୁରି ସ୍ପଷ୍ଟ କରିବ। ଆଗକୁ କେବଳ ଦଳ ପାଇଁ ନୁହେଁ ବରଂ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ବହୁ ଆହ୍ବାନ ରହିଛି। ଗରିବ, ଚାଷୀ, ମହିଳା ଓ ଯୁବକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଚାହୁନାହାନ୍ତି। ନିଜ ବ୍ୟତୀତ ସେ ଅନ୍ୟ କିଛି ଦେଖିପାରୁ ନାହାନ୍ତି ବୋଲି ଖଡ଼ଗେ କହିଛନ୍ତି। ଏହି ବୈଠକରେ ଇଣ୍ଡିଆ ମେଣ୍ଟ, ମଣିପୁର ଏବଂ ଆଦାନି ପ୍ରସଙ୍ଗରେ ସଂକଳ୍ପ ଗୃହୀତ ହୋଇଛି। ଚୀନ ସହିତ ସୀମା ବିବାଦର ପ୍ରକୃତ ସତ ଲୋକମାନଙ୍କୁ ଜଣାଇବା ଏବଂ ଭାରତୀୟ ସୀମାର ସୁରକ୍ଷାକୁ ନେଇ ରହିଥିବା ଆହ୍ବାନଗୁଡ଼ିକ ବିରୋଧରେ ସଂକଳ୍ପ ନେବାଲାଗି ସେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ଆଦାନି ପ୍ରସଙ୍ଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକୁ ସେ ଦୋହରାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button