ମନୋରଞ୍ଜନ

ଓଲିଉଡ୍‌ର ଆଇନ ପଢୁଆ ନାୟିକା

ଲିଉଡ୍ ନାୟିକାମାନଙ୍କ ମଧ୍ୟରୁ କେତେକ ସୌଖୀନ୍ କଳାକାର ହୋଇଥିବା ବେଳେ ଆଉ କେତେକ ଅଭିନୟକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିବା ପରେ ଅଭିନୟକୁ ଆସିଛନ୍ତି। କେହି ଇଞ୍ଜିନିୟରିଂ ତ କେହି ମେଡିକାଲ୍ ପାଠ ପଢ଼ିଛନ୍ତି। ପୁଣି କେହି ମାସ୍ କମ୍ୟୁନିକେସନ୍ରେ କୋର୍ସ କରିଛନ୍ତି।

ଏଭଳି କେତେଜଣ ନାୟିକା ବି ଅଛନ୍ତି, ଯେଉଁମାନେ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପୁଣି କେତେଜଣ ଓକିଲାତି ପେସାକୁ ଆପଣେଇଛନ୍ତି।

ଅଙ୍କିତା
ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ‘ଅଦୃଶ୍ୟମ୍’ରେ ନାୟିକା ଭୂମିକାରେ ଅଭିନୟ କରିଥିବା ଅଙ୍କିତା ମିଶ୍ର ବୃତ୍ତିରେ ଜଣେ ଆଇନଜୀବୀ। ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ଓକିଲାତି ପେସାକୁ ଆପଣେଇଛନ୍ତି। ଏବେ ଅଙ୍କିତା କଲିକତା ଉଚ୍ଚ ନ୍ୟାୟାଳୟର ଜଣେ ପଞ୍ଜୀକୃତ ଆଇନଜୀବୀ। ‘ଅଦୃଶ୍ୟମ୍’ରେ ସେ ଅନ୍ୟ କୌଣସି ଛବିରେ ନଜର ଆସିନାହାନ୍ତି। ଅବଶ୍ୟ ତାଙ୍କର ଅନ୍ୟ ଏକ ସିନେମା ‘ହୁଇସିଲ୍’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଅଙ୍କିତା ସିନେମାରେ କାମ କରିବା ପୂର୍ବରୁ କେତେକ ମ୍ୟୁଜିକ୍ ଭିଡିଓରେ ନାୟିକା ଭାବେ କାମ କରିଥିଲେ।

ଅରୋଶିଖା
ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଓଡ଼ିଆ ଛବି ‘ଗୁପ୍ଚୁପ୍’ ଏବଂ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ଟୁ ଲେଟ୍-ମଉସା ଘରଭଡ଼ା ଦେବ କି’ର ନାୟିକା ଅରୋଶିଖା ମିଶ୍ର ଜଣେ ଆଇନ ସ୍ନାତକ। ସେ ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଏଲ୍ଏଲ୍ବି କରିଛନ୍ତି। ତାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ଦାହାନ୍’ ଏବେ ମୁକ୍ତିପ୍ରତୀକ୍ଷାରେ ରହିଛି।

ଜସ୍ମିନ୍
ଓଡ଼ିଆ ସିନେମା ‘ଇନ୍ଦ୍ରଜାଲ’ ଓ ‘ଚନ୍ଦ୍ରବଂଶୀ’ ଏବଂ ଟେଲି ସିନେମା ‘ହାଏ କୃଷ୍ଣ’ ଓ ‘କନ୍ୟାଦାନ’ରେ ନାୟିକା ଭୂମିକା ତୁଲାଇ ଥିବା ଜସ୍ମିନ୍ ରଥ ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। କିନ୍ତୁ ସେ ଅଭିନୟ କ୍ଷେତ୍ରରେ ଅଧିକ ସକ୍ରିୟ ରହିଛନ୍ତି।

ସପ୍ନା
ସପ୍ନା ନାୟକଙ୍କୁ ଦର୍ଶକ ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ସିନେମା ‘ମୁଁ ତୁମକୁ ଭଲ ପାଏ’ରେ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ଏସ୍ ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ। ୨୦୧୮ରେ ଜୀ ଟିଭିରେ ପ୍ରସାରିତ ‘ଫିଅର୍ ଫାଇଲ୍ସ’ ଧାରାବାହିକ ଜରିଆରେ ଆକ୍ଟିଂ ଡେବ୍ୟୁ କରିଥିଲେ ସପ୍ନା। ଏହାପରେ ସେ ଦୁଇଟି ପଞ୍ଜାବୀ ଓ ଗୋଟିଏ ହରିଆନ୍ଭି ଫିଲ୍ମରେ ଲିଡ୍ ରୋଲ୍ରେ ଥିଲେ। ଏହାଛଡ଼ା ତାଙ୍କୁ ବହୁ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ କାମ କରିବାର ସୁଯୋଗ ମିଳିଛି। ସପ୍ନା ନାୟକ କେବଳ ଜଣେ ନାୟିକା ନୁହନ୍ତି, ଜଣେ ଆଇନଜୀବୀ ମଧ୍ୟ। ନୂଆଦିଲ୍ଲୀର ତିସ୍ହଜାରୀ କୋର୍ଟରେ ସେ ଲ’ ପ୍ରାକ୍ଟିସ୍ କରନ୍ତି। ଅଭିନୟ ଓ ଆଇନ ପେସାକୁ ସମାନ୍ତରାଳ ଭାବେ ସୁପରିଚାଳନା କରୁଛନ୍ତି ସେ।

ପୁଣ୍ୟତୋୟା
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଡି ଏସ୍ ଲ’ କଲେଜ୍ରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି ପୁଣ୍ୟତୋୟା ପାଣିଗ୍ରାହୀ। ତାଙ୍କ ଅଭିନୀତ ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଲାଇଫ୍ ପାର୍ଟନର୍’ ଓ ତୁଷାର କେ ସିହ୍ନାଙ୍କ ନିର୍ଦ୍ଦେଶିତ ‘ତୋର ମୋର ପ୍ରେମ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଆଗରୁ ନାୟିକା ପୁଣ୍ୟତୋୟା କେତେକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ। ଏହାଛଡ଼ା ତାଙ୍କୁ ‘ଖୁସିର ଛୁଙ୍କ’ ଓ ‘ଶାନ୍ତି’ ପରି ମେଗା ଧାରାବାହିକରେ ବି ଦେଖିବାକୁ ପାଇଥିଲେ ଟେଲିଦର୍ଶକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button