ଓଡିଶା

ନବ ଦାସ ହତ୍ୟା ମାମଲା: ଏତଲା ଉପରେ ପ୍ରଶ୍ନ, ଦ୍ୱିତୀୟ ଗୁଳିମାଡ଼ ଉଲ୍ଲେଖ ନଥିଲା

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏସ୍‌ଏଫ୍‌ଏସ୍‌ଏଲ୍‌ (ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି) ରିପୋର୍ଟ ସାମନାକୁ ଆସିବା ପରେ ଦ୍ବିତୀୟ କାର୍‌ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ଲୋକଲୋଚନକୁ ଆସିଛି। ଘଟଣାସ୍ଥଳରେ ଏହି ଗୁଳିମାଡ଼ ହୋଇଥିବା ବେଳେ କିଭଳି ଅନ୍ୟ ଉପସ୍ଥିତ ଲୋକ ଓ ପୁଲିସ୍‌ ଏ ସମ୍ପର୍କରେ ଜାଣିପାରିନଥିଲେ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ଏପରିକି ତତ୍କାଳୀନ ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଦେଇଥିବା ସାଦା କାଗଜ (ପ୍ଲେନ୍‌ ପେପର୍‌) ଏଫ୍‌ଆଇଆର୍‌ରେ ବି ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନଥିଲେ। ସେପଟେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଆରମ୍ଭରୁ ହିଁ ଷଡ୍‌ଯନ୍ତ୍ର ଦିଗରେ ପୁଲିସ ତଦନ୍ତ କରିନି ବୋଲି କହିଛନ୍ତି।

୨୦୨୩ ଜାନୁଆରି ୨୯ ତାରିଖ ଦିନ ପ୍ରାୟ ୧୨ଟା ୧୫ ମିନିଟ୍‌ରେ ଏହି ଘଟଣା ଘଟିଥିବା ବେଳେ ଦିନ ୧ଟାରେ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ ଏହି ପ୍ଲେନ୍‌ ପେପରରେ ଏଫ୍‌ଆଇଆର୍‌ ଲେଖିଥିଲେ। ଯେଉଁଥିରେ ଗୋପାଳ ଦାସର ବନ୍ଧୁକରୁ ଫୁଟିଥିବା ବୁଲେଟ୍‌ଗୁଡ଼ିକ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଛାତିରେ ବାଜିଥିବା ସମ୍ପର୍କରେ ଦର୍ଶାଯାଇଛି। ଏହି ଘଟଣା ପରେ ସେ ଓ କନେଷ୍ଟବଳ କେସି ପ୍ରଧାନ ଅଭିଯୁକ୍ତକୁ ଧରି ପକାଇଥିଲେ। ସେତେବେଳେ ହୋଇଥିବା ଠେଲାପେଲା ସମୟରେ ଗୋପାଳ ଦାସ ବନ୍ଧୁକରୁ ଆଉ ୨ ରାଉଣ୍ଡ ଗୁଳି ଫୁଟାଇଥିଲା। ଦ୍ବିତୀୟ ଗୁଳିରେ ତାଙ୍କ ଆଙ୍ଗୁଠିରେ କ୍ଷତ ହୋଇଥିବା ଖୋଦ୍‌ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ ଉଲ୍ଲେଖ କରିଛନ୍ତି। ଏହାସହିତ କଳିଙ୍ଗନଗରର ଜୀବନ ନାୟକ ବି ଆହତ ହୋଇଥିଲେ ବୋଲି ପ୍ଲେନ୍‌ ପେପର ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି। ଏହାପରେ ଗୋପାଳ ଦାସକୁ କାବୁ କରି ତା’ଠାରୁ ବନ୍ଧୁକ ଛଡ଼ାଇ ନିଆଯାଇଥିଲା। ସେପଟେ, ଦିନ ୨ଟା ୪୦ ମିନିଟ୍‌ରେ ବ୍ରଜରାଜନଗର ଥାନାରେ ଉକ୍ତ ପ୍ଲେନ୍‌ ପେପର୍‌ ଏଫ୍‌ଆଇଆର୍‌ରେ ହୋଇଥିବା ମାମଲା ସଂଖ୍ୟା ୩୪ରେ ବି ସମାନ ଦୃଶ୍ୟ ବର୍ଣ୍ଣନା କରାଯାଇଥିଲା। ନବ ଦାସଙ୍କ ଛାତିରେ ଗୁଳିଗୁଡ଼ିକ ବାଜିଥିବା, ଖୋଦ୍‌ ତତ୍କାଳୀନ ଆଇଆଇସି ଓ ଜୀବନ ନାୟକ ଆହତ ହେବା ସମ୍ପର୍କରେ ଦର୍ଶାଯାଇଛି। କିନ୍ତୁ କୌଣସି ସ୍ଥାନରେ ପଛ କାର୍‌ରେ ହୋଇଥିବା ଗୁଳିମାଡ଼ ସମ୍ପର୍କରେ ଉଲ୍ଲେଖ ନାହିଁ। ଗୋପାଳ ଦାସର ବନ୍ଧୁକରୁ ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ପୁଲିସ୍‌ ଦର୍ଶାଉଥିବା ବେଳେ ଏଫ୍‌ଆଇଆର୍‌ରେ ଥିବା ହିସାବ କିନ୍ତୁ ମେଳ ଖାଉନଥିବା ଅଭିଯୋଗ ହୋଇଛି।

ଏଫ୍‌ଆଇଆର୍‌ରେ ଦର୍ଶାଯାଇଥିବା ଅନୁସାରେ ପ୍ରଥମେ ‘ବୁଲେଟ୍ସ’ ଓ ପରେ ଆଉ ୨ଟି ବୁଲେଟ୍‌ ଫୁଟିଥିଲା। ପ୍ରଥମଟି ବୁଲେଟ୍ସ ବୋଲି ଉଲ୍ଲେଖ ରହିଥିବାରୁ ବହୁବଚନରେ ଏହାକୁ ନେଲେ ଏକାଧିକ ଗୁଳି କି? ବୋଲି ସନ୍ଦେହ ହେଉଛି। ଅର୍ଥାତ୍‌ ଏଭଳି କ୍ଷେତ୍ରରେ ଗୋପାଳର ବନ୍ଧୁକରୁ ୩ରୁ ଅଧିକ ଗୁଳି ଫୁଟିଥିଲା। ତେବେ ଗୋପାଳର ବନ୍ଧୁକରୁ ଯଦି ୩ରୁ ଅଧିକ ଗୁଳି ଫୁଟିଥିଲା ତେବେ ପୁଣି ୩ଟି ଗୁଳି ଜୀବନ୍ତ କିଭଳି ଉଦ୍ଧାର ହେଲା ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି। ଦ୍ବିତୀୟ ଗାଡ଼ିରେ ନବ ଦାସଙ୍କ ପିଏସ୍‌ଓ ତଥା ସହଯୋଗୀମାନେ ବସିଥିବା ବେଳେ ଉକ୍ତ ଗାଡ଼ିରେ ହୋଇଥିବା ଗୁଳିମାଡ଼ ସମ୍ପର୍କରେ ସେମାନେ ଜାଣି ନପାରିବା ଘଟଣାକୁ ଅଧିକ ରହସ୍ୟାବୃତ କରିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button