ଓଡିଶା

ସହିଦ ବୀର-ବେନୁଙ୍କୁ ଭୁଲିଗଲେ: ସହିଦଙ୍କ ପରିବାରକୁ ସରକାରୀ ଚାଉଳ ଭରସା

ପର୍ଜଙ୍ଗ: ମାଟି ମା’ର ସୁରକ୍ଷା ପାଇଁ ଲଢ଼ିଲେ। ଇଂରେଜଙ୍କ ଗୁଳିରେ ଟଳି ପଡ଼ିଲେ। ଇତିହାସ ସେମାନଙ୍କୁ ସହିଦ ଆଖ୍ୟା ଦେଲା। ହେଲେ ସ୍ବାଧୀନ ଦେଶର ସରକାର‌ ସେମାନଙ୍କୁ ଭୁଲିଗଲେ। ୧୯୪୨ ମସିହା ସେପ୍ଟେମ୍ବର ୪ ତାରିଖରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଜହ୍ନାପଡ଼ା ବାଲିବନ୍ଧଠା‌ରେ ଘଟିଥିଲା ଲୋମହର୍ଷଣକାରୀ ଗୁଳିକାଣ୍ଡ। ଯେଉଁଥିରେ ସହିଦ ହୋଇଥିଲେ କଙ୍କଡ଼ାହାଡ଼ ବ୍ଲକ୍‌ ତୋରଡ଼ାନାଳିର ବୀର ସାହୁ ଓ କୁସୁମୁଣ୍ଡିଆର ବେନୁ ସାହୁ। ହେଲେ ଉଭୟଙ୍କ ପରିବାରକୁ ନା ମିଳିଛି ସଂଗ୍ରାମୀ ଭତ୍ତା ନା ଅନ୍ୟ କୌଣସି ବିଶେଷ ସହାୟତା। ମାତ୍ର ୫ କିଲୋ ରାସନ୍‌ ଚାଉଳ ଧରାଇ ପ୍ରଶାସନ ନିଜ କାମ ସାରିଦେଇଛି। ଗଡ଼ଜାତ ଆନ୍ଦୋଳନ ସମୟରେ ଢେଙ୍କାନାଳର ଗଡ଼ପର୍ଜଙ୍ଗ ଓ ଗଡ଼ପଳାଶୁଣି ଅଞ୍ଚଳର ବୀର ସଂଗ୍ରାମୀମାନଙ୍କର ଭୂମିକା କିଛି କମ୍ ନଥିଲା। ଜହ୍ନାପଡ଼ା ବାଲିବନ୍ଧଠାରେ ଘଟିଥିବା ଗୁଳିକାଣ୍ଡର ବୀଭତ୍ସ ଦୃଶ୍ୟ ଏବେ ବି ସମସ୍ତଙ୍କ ମନରେ ସଂଗ୍ରାମୀମାନଙ୍କର ଅଦମ୍ୟ ସାହସ, ଦୃଢ଼ ମନୋବଳ, ଦେଶପ୍ରେମ ଓ ବଳିଦାନର ଭାବନାକୁ ଆନ୍ଦୋଳିତ କରେ। ଗଡ଼ପର୍ଜଙ୍ଗର ମହେଶ୍ଚନ୍ଦ୍ର ସୁବାହୁ ସିଂହ ଓ କଙ୍କଡ଼ାହାଡ଼ ପଙ୍ଗାତିରାର କିଶୋରୀ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଜହ୍ନାପଡ଼ାର ବାସୁଦେବ ନାୟକ, କାଳନ୍ଦୀ ନାୟକ, ଡମୋଳର ନେତ୍ରାନନ୍ଦ ନାୟକ, କାମାକ୍ଷାନଗରର ମୂଷା ମଲ୍ଲିକ ତଥା କନ୍ଦରସିଂହା, ନାଉପାଳ କାଟେଣୀ ଓ ଖଇରାମୁଣ୍ଡା ଆଦି ଗ୍ରାମର ଶହ ଶହ ସଂଗ୍ରାମୀ ଗଡ଼ଜାତ ଆନ୍ଦୋଳନରେ ସାମିଲ ହୋଇଥିଲେ। ହସିହସି ଦେଶପାଇଁ ସେମାନେ ଛାତି ଦେଖାଇ ଗୁଳି ଖାଇଥିଲେ। ଯେଉଁଥିରେ ବୀର ଓ ବେନୁ ମଧ୍ୟ ସହିଦ ହୋଇଥି‌ଲେ। ପ୍ରତ୍ୟକ୍ଷଦର୍ଶୀ କୁହନ୍ତି, ଘଟଣାସ୍ଥଳରେ ପାଖାପାଖି ୧ ହଜାରରୁ ଅଧିକ ଝାମ୍ପି, ଟୋପର ବା ପଖିଆ ପଡ଼ିଥିଲା।

ସ୍ମୃତିରକ୍ଷା ଲାଗି ପଦକ୍ଷେପ ଶୂନ
ପ୍ରତିମୂର୍ତ୍ତି, ସ୍ମୃତିସ୍ତମ୍ଭଟିଏ ବି ନାହିଁ

ଢେଙ୍କାନାଳ ଗଡ଼ଜାତ ଆନ୍ଦୋଳନ ଇତିହାସରେ ଜହ୍ନାପଡ଼ା ଗୁଳିକାଣ୍ଡ ଏକ କଳଙ୍କିତ ଅଧ୍ୟାୟ। କିନ୍ତୁ ଏଯାବତ୍ ସରକାରଙ୍କ ପକ୍ଷରୁ ସ୍ମାରକୀର ସୁରକ୍ଷା ନିମିତ୍ତ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। କେବଳ ପର୍ଜଙ୍ଗ ଡାକ୍ତରଖାନା ସାମ୍ନାରେ ଥିବା ମାର୍କେଟ‌୍ କମ୍ପ୍ଲେକ୍ସକୁ ‘ବୀରବେନୁ’ଙ୍କ ନାମରେ ନାମିତ କରାଯାଇଛି। ହେଲେ ସେମାନଙ୍କ ପରିବାର ଆଜି ବି ମରି ମରି ବଞ୍ଚୁଛନ୍ତି। ବୀର ସାହୁଙ୍କ ନାତୁଣୀ ଭଗବତୀ ସାହୁ କହିଛନ୍ତି, କିଏ କେତେଥର ଆ‌ସି କେତେ କଥା କହୁଛନ୍ତି। କାହିଁ କିଛି ମିଳିନାହିଁ। ଖାଲି ରାସନ୍ କାର୍ଡରେ ଚାଉଳ ଯାହା ପାଉଛି। ସେହିପରି ବେନୁ ସାହୁଙ୍କ ଝିଅ ଶ୍ରୀମତୀ ସାହୁ କହିଛନ୍ତି, ଚାଉଳ ପାଞ୍ଚ କିଲୋ ଆଉ ବିଧବା ଭତ୍ତାରେ ଜୀବନ କଟୁଛି। ଅନ୍ୟ କିଛି ସରକାରୀ ସାହାଯ୍ୟ ଆଜି ଯାଏଁ ମିଳିନାହିଁ। ଅନ୍ୟପଟେ ପର୍ଜଙ୍ଗ ହାଇସ୍କୁଲ୍‌ ଛକଠାରୁ ଜହ୍ନାପଡ଼ା ରାସ୍ତାକୁ ସହିଦ ବୀର ସାହୁ ଓ ବେନୁ ସାହୁଙ୍କ ନାମରେ ନାମିତ କରିବାକୁ ଦାବି ଉଠିଛି। ଦୟନୀୟ ଅବସ୍ଥାରେ ଥିବା ସ୍ମୃତି ପୀଠକୁ ପୁନଃନିର୍ମାଣ ପାଇଁ ମଧ୍ୟ ଦାବି ଜୋର ହୋଇଛି। ଜହ୍ନାପଡ଼ା ଗୁଳିକାଣ୍ଡକୁ ପାଖରୁ ଦେଖିଥିବା ଜହ୍ନାପଡ଼ା ଗ୍ରାମର ତଅଁଳୁ ସାହୁ କହିଛନ୍ତି, ସେତେବେଳେ ସେ ଛୋଟପିଲା ଥିଲେ। ବହୁ ସଂଖ୍ୟାରେ ଲୋକ ଠେଙ୍ଗାବାଡ଼ି ଧରି ସେତେବେଳେ ଏକାଠି ହୋଇଥିଲେ। ଫଉଜମାନଙ୍କ ସହ ଲଢ଼େଇ ହୋଇଥିଲା। ବୀର, ବେନୁ ଏଥିରେ ସହିଦ ହୋଇଥ‌ିଲେ। ଗାଁ ଲୋକଙ୍କ ଉଦ୍ୟମରେ ଏକ ସ୍ମୃତି ପୀଠ ସ୍ଥାପିତ ହୋଇଥିଲା, ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ସରକାର ଏହି ଐତିହ୍ୟସମ୍ପନ୍ନ ଗାଁରେ ସହିଦମାନଙ୍କ ସ୍ମୃତି ରକ୍ଷା ଲାଗି ପଦକ୍ଷେପ ନେବାକୁ ତଅଁଳୁଙ୍କ ସମେତ ସୁବଳ ନାୟକ ଓ ଅନ୍ୟମାନେ ଦ‌ାବି କରିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button