ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ଘଟଣା: ନିରୋଦ, ରତ୍ନାକରଙ୍କ ଜାମିନ୍ ଖାରଜ – Utkal Mail
ଏବେ ବି ଅପହଞ୍ଚରେ ରୢାକେଟ୍ର ମୁଖ୍ୟ ସମେତ ୪ ଠକ
ଭୁବନେଶ୍ବର: ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ମୁଖ୍ୟ ନିରୋଦ କୁମାର ଦାସ ଓ ରତ୍ନାକର ପଲ୍ଲେଇଙ୍କ ଜାମିନ୍ ଖାରଜ ହୋଇଛି। ଉଭୟ କଟକ ଓପିଆଇଡି କୋଟ୍ ଜାମିନ୍ ପାଇଁ ଅବେଦନ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ଜାମିନ୍ ଅବେଦନକୁ ଖାରଜ କରିଛନ୍ତି। ଫଳରେ ଉଭୟଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।
ସୂଚନାଯୋଗ୍ୟ ଯେ ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସ୍ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା। ୨୦୨୧ ମସିହାରେ ଏହାର ମୁଖ୍ୟ ଡେଭିଡ୍ ଗେଜ୍ ଏକାଧିକ ଥର ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତ୍ତାଉଥିଲା। ପିରାମିଡ୍ ଆକୃତିର ଚେନ୍ ସିଷ୍ଟମରେ ଚାଲିଥିବା ଏହି କାରବାରରେ ପ୍ରତିଦିନ ନୂଆ ନୂଆ ସଦସ୍ୟ ସାମିଲ ହେଉଥିଲେ। ଏଥିପାଇଁ ପ୍ରତିଦିନ ୨୦ରୁ ୩୦ ହଜାର ଡଲାର ଅର୍ଥ ରୋଜଗାର କରିବାର ଲୋଭ ଦେଖା ଯାଉଥିଲା। ଏହି ରୢାକେଟ୍ରେ ସାମିଲ ଥିବା ଓଡ଼ିଶା ମୁଖ୍ୟ ନିରୋଦ ଓ ରତ୍ନାକର ରାଜ୍ୟରେ କ୍ରିପ୍ଟୋ କରେନ୍ସି କାରବାରର ପ୍ରମୁଖ ଭୂମିକା ନେଇଥିଲେ। ଇଓଡବ୍ଲୁ ରୢାକେଟ୍ର ଭାରତର ମୁଖ୍ୟ ଗୁରୁତେଜ୍ ସିଂ ସିନ୍ଧୁକୁ ରାଜସ୍ଥାନରୁ ଗିରଫ ପରେ ଖୋଳତାଡ଼ କରି ନିରୋଦ ଓ ରତ୍ନାକରର ସମ୍ପୃକ୍ତି ଠାବ କରିଥିଲା। ପରେ ଗତ ଅଗଷ୍ଟ ୬ରେ ନିରୋଦକୁ ଏବଂ ଅଗଷ୍ଟ ୧୫ରେ ରତ୍ନାକରକୁ ଗିରଫ କରିଥିଲା। ଏମାନେ ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ବେଶ୍ ସକ୍ରିୟ ଥିଲେ। ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାର ୧୦ହଜାରରୁ ଊର୍ଧ୍ବ ସଦସ୍ୟଙ୍କୁ ସାମିଲ୍ କରିଥିଲେ। ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଲୁଟିଥିଲେ। ଗିରଫ ପରେ ଇଓଡବ୍ଲୁ ସେମାନଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାତେଇଥିଲା।
ତେବେ ରୢାକେଟ୍ର ମୁଖ୍ୟ ଡେଭିଡ୍ ଗେଜ୍ ସମେତ ରାଜସ୍ଥାନ ହନୁମାନଗଡ଼ର କ୍ରିଷ୍ଣା କୁମାର, ଶ୍ରୀ ଗଙ୍ଗନଗରର ଅନୀଲ କୁମାର ଓ ନାଗୁଆର ଭୁରା ରାମ ଏବେ ବି ଫେରାର ଅଛନ୍ତି। ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଅନୁରୋଧକ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ଏହି ସର୍କୁଲାର ଜାରି କରିଛି।



