ତାଲିମ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ୨ ଆହତ – Utkal Mail
ପୁଣେ: ଆଜି ପ୍ରଶିକ୍ଷଣ ସମୟରେ ମହାରାଷ୍ଟ୍ରର ପୁଣେ ଜିଲ୍ଲା ଅନ୍ତର୍ଗତ ଗୋଜୁବାୱି ଗାଁ ନିକଟରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଣେ ଗ୍ରାମୀଣ ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି ‘ରେଡ୍ବାର୍ଡ ଫ୍ଲାଇଟ୍ ଟ୍ରେନିଙ୍ଗ୍ ଏକାଡେମି’ର ପ୍ରଶିକ୍ଷଣ ନିମନ୍ତେ ବ୍ୟବହୃତ ବିମାନ। ଆଜି ସକାଳ ପ୍ରାୟ ୮ଟା ବେଳେ ଘଟିଥିବା ଏହି ବିମାନ ଦୁର୍ଘଟଣାରେ ତାଲିମ ନେଉଥିବା ପାଇଲଟ୍ ଓ ତାଲିମଦାତା ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଉପଚାର ପରେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜାଣିବା ଲାଗି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ୪ ଦିନ ମଧ୍ୟରେ ଏହା ହେଉଛି ‘ରେଡ୍ବାର୍ଡ ଫ୍ଲାଇଟ୍ ଟ୍ରେନିଙ୍ଗ୍ ଏକାଡେମି’ର ଦ୍ବିତୀୟ ବିମାନ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ବେଳେ ଏହି ଏକାଡେମିର ଆଉ ଗୋଟାଏ ବିମାନ ବାରାମାଟି ତାଲୁକ ଅନ୍ତର୍ଗତ କାଫ୍ତାଲ୍ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟ୍ ଆହତ ହୋଇଥିଲେ।