ବାଂଲାଦେଶ ହାତରୁ ମହିଳା ଟି୨୦ ବିଶ୍ୱକପ ଆୟୋଜନ ଛଡାଇ ନେଲା ଆଇସିସି, ୟୁଏଇରେ ହେବ ଟୁର୍ଣ୍ଣାମେଣ୍ଟ

ବାଂଲାଦେଶର ଖରାପ ସ୍ଥିତି ଦେଖି ବଡ ନିଷ୍ପତ୍ତି ନେଇଛି ଆଇସିସି । ମହିଳା ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ବାଂଲାଦେଶ ହାତରୁ ଆଇସିସି ଛଡ଼ାଇ ନେଇଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ଏବେ ଆଉ ଏକ ନୂଆ ଭେନ୍ୟୁ ସ୍ଥିର କରାଯାଇଛି । ବାଂଲାଦେଶର ସ୍ଥିତିକୁ ଦଷ୍ଟିରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେଇଛି ।
ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏବେ ୟୁଏଇକୁ ଚୟନ କରାଯାଇଛି ।
ତେବେ ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ ଖେଳାଯିବାକୁ ଆଇସିସି ସ୍ଥିର କରିସାରିଛି । ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ବାଂଲାଦେଶର ହିଁ ନାମ ରହିବ । ଅକ୍ଟୋବର ୩ରୁ ଆରମ୍ଭ ହୋଇ ୨୦ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁଏଇର ୨ଟି ଭେନ୍ୟୁରେ ଖେଳାଯିବ । ଏଥିରେ ଦୁବାଇ ଏବଂ ଶାରଜାହ ସାମିଲ ରହିଛି ।
ଆଇସିସିର ସିଇଓ ଜୋଫ ଏଲାର୍ଡିସ କହିଛନ୍ତି ଯେ, ବାଂଲାଦେଶ ପାଇଁ ଟି-୨୦ ବିଶ୍ୱକପ ଆୟୋଜନ ନ କରିବା ଖୁବ ନିରାଶାଜନକ ଘଟଣା । କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଐତିହାସିକ ପ୍ରସ୍ତୁତି କରିଥିଲା । ସେ କହିଛନ୍ତି ଯେ, “ମୁଁ ବିସିବି ଟିମକୁ ଧନ୍ୟବାଦ୍ ଦେବାକୁ ଚାହୁଁଛି, କାରଣ ସେମାନେ ଟୁର୍ଣ୍ଣାମେଣ୍ଟକୁ ବାଂଲାଦେଶରେ ଆୟୋଜିତ କରାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ବିଶ୍ୱକପର ଅଧିକାଂଶ ଦଳର ସରକାରଙ୍କ ଟ୍ରାଭେଲ ଗାଇଡଲାଇନ୍ ଯୋଗୁଁ ଏହା ସମ୍ଭବ ହୋଇ ପାରିନାହିଁ । ତେବେ ତାଙ୍କ ହାତରେ ଆୟୋଜକର ଦାୟିତ୍ୱ ରହିବ । ସେହିପରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବାରୁ ଶ୍ରୀଲଙ୍କା ଏବଂ ଜିମ୍ବାୱେ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ।”
ସୂଚନାଯୋଗ୍ୟ, ବାଂଲାଦେଶରେ ସଂରକ୍ଷଣକୁ ନେଇ ବିରୋଧ ଚାଲିଛି । ବିରୋଧ ପ୍ରଦର୍ଶନକାରୀ ସରକାର ପରିବର୍ତ୍ତନ କରିଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ଏହାପରେ ସମଗ୍ର ଦେଶରେ ହିଂସା, ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ବାଂଲାଦେଶରେ ୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏବେ ଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ।