ଓଡିଶା

ଗଞ୍ଜମ ଶୁଖୁଆ ବ୍ୟବସାୟକୁ ମିଳିବ ନୂଆ ସୁଯୋଗ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଶୁଖୁଆ ପ୍ରସ୍ତୁତି ଓ କାରବାରକୁ ନୂଆ ସୁବିଧା ସୁଯୋଗ ମିଳିବ। କେବଳ ଯେ ବିକ୍ରିବଟାକୁ ଅଧିକ ବ୍ୟାପକ କରାଯିବ ତା ନୁହେଁ, ଏଥିସହ ଜାତୀୟ ଏପରିକି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶୁଖୁଆ ବ୍ୟବସାୟକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯୋଜନାକୁ ରୂପରେଖ ଦେବା ଆରମ୍ଭ କରିଛି। ଏଥି ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ, ଡ୍ରାଏ ଫିସ୍ (ଶୁଖୁଆ) କ୍ଲଷ୍ଟରକୁ ନୂଆ ରୂପ ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ନୂଆ ବର୍ଷରେ ହୁମ୍ମାର ଶୁଖୁଆ ବ୍ୟବସାୟୀ, ଏଥି ସହ ସମ୍ପୃକ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍‌ଜି)ଙ୍କୁ ଏକ ଉପହାର ଦେବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଜାନୁଆରୀ ପହିଲାରୁ ନବନିର୍ମିତ ଅତ୍ୟାଧୁନିକ କୋଠାରେ ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟ ଆରମ୍ଭ ହେବ। ପୂର୍ବରୁ ରାଜପଥ ପାର୍ଶ୍ଵରେ ଖୋଲାମେଲାରେ, ଅସ୍ବଚ୍ଛ ପରିବେଶରେ, ଖରା- ବର୍ଷା- ଶୀତ ସହି ଶୁଖୁଆ ବିକ୍ରିବଟା କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଏହାଦ୍ବାରା ବେଶ୍ ଉପକୃତ ହୋଇପାରିବେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁଖୁଆ ହାଟ ପରିଦର୍ଶନ କରି ଏହାର ସ୍ଥିତି ପରଖିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଧ୍ୟ ସାମିଲ ଥିଲେ।

 

ମହିଳା ଗୋଷ୍ଠୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ନୂତନ କୋଠାର ପରିଚାଳନା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯିବ। ଜାତୀୟ ରାଜପଥ ପାର୍ଶ୍ବରେ ଥିବା ହୁମ୍ମାର ଏହି ପ୍ରସିଦ୍ଧ ଶୁଖୁଆ ହାଟର ନିର୍ମାଣାଧୀନ କୋଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାପାଳ ହୁମ୍ମା ଶୁଖୁଆ ହାଟ ନେଇ ସ୍ଥାନୀୟ ଜନପ୍ରତିନିଧି, ଏସ୍ଏଚଜି ମହିଳା ଏବଂ ଶୁଖୁଆ ବ୍ୟବସାୟୀଙ୍କ ଉପସ୍ଥିତିରେ ଏକ ବୈଠକ କରିଥିଲେ। ବୈଠକରେ ଶୁଖୁଆ ହାଟରେ ସ୍ଥାୟୀ ପାଣିଟାଙ୍କି ନିର୍ମାଣ ସହ ପାନୀୟ ଜଳଯୋଗାଣ, ମହିଳା ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ଗୋଦାମ, ପ୍ରଶାସନିକ ଭବନ ଓ ଚାରାରୋପଣ ପାଇଁ ପ୍ରସ୍ତାବ ଦେଇଥିଲେ ବ୍ଲକ୍‌ ଅଧ୍ୟକ୍ଷା ଓ ସରପଞ୍ଚ। ଏସ୍ଏଚ୍‌ଜି ମହିଳା ତଥା ଶୁଖୁଆ ବ୍ୟବସାୟୀମାନେ ଶୁଖୁଆ ଶୁଖାଇବା ନିମନ୍ତେ ଏକ ଖଳାର ବ୍ୟବସ୍ଥା କରିବା ତଥା ଏକ ପୋଖରୀ ଖନନ ପାଇଁ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦିଆଯାଇ ଥିଲା। ଏହାର ଉତ୍ତରରେ ଉନ୍ନତ ମାନର ଶୁଖୁଆ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହ ଶୁଖୁଆର ବ୍ୟବସାୟ ନିମନ୍ତେ ପ୍ରଶାସନ ପକ୍ଷରୁ ସହଯୋଗ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ଜିଲ୍ଲାପାଳ।

କେବଳ ଏତିକି ନୁହେଁ, ଗୋଖରକୁଦା ଗ୍ରାମ ନିକଟ ହୁମ୍ମା ଡ୍ରାଏ ଫିସ୍ କ୍ଲଷ୍ଟରକୁ ମଧ୍ୟ ଜିଲ୍ଲାପାଳ ବୁଲି ଦେଖିବା ସହ ଉନ୍ନତମାନର ଶୁଖୁଆ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ମିଶନ୍ ଶକ୍ତି ସହଭାଗିତାରେ ଏହି କ୍ଲଷ୍ଟର୍ କାର୍ଯ୍ୟ କରିବ। କେବଳ ସାଧାରଣ ଶୁଖୁଆ ପ୍ରସ୍ତୁତ କରିବାରେ ସୀମିତ ନରହି କିଛି ନୂଆ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ନୂତନ ଜ୍ଞାନ କୌଶଳରେ କିପରି ଶୁଖୁଆ ଆଚାର, ପାମ୍ପଡ଼, ମିକ୍ସଚର୍ ତିଆରି ହୋଇପାରିବ ସେହି ତାଲିମ ବ୍ୟବସାୟୀ ଓ ଏସ୍ଏଚ୍‌ଜି ସଦସ୍ୟଙ୍କୁ ଦିଆଯିବ। ଫଳରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶୁଖୁଆ ବ୍ୟବସାୟ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ ଜିଲ୍ଲାପାଳ। ଏଥିସହ ପୁରୁଣାବନ୍ଧ ଗ୍ରାମସ୍ଥିତ ଗଙ୍ଗାଦେବୀ ମନ୍ଦିର ନିକଟରେ ସମନ୍ବିତ ଉପକୂଳ ଯୋଜନାରେ ହୋଇଥିବା ଉତ୍ପାଦନ କେନ୍ଦ୍ରଟି କିଭଳି କାର୍ଯ୍ୟକାରୀ ହୋଇପାରିବ ତାହା ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ ପରିଡ଼ା। ଅନେକ ଦିନ ଧରି ଏହି କେନ୍ଦ୍ର ଅବ୍ୟବହୃତ ହୋଇ ପଡ଼ି ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button