ପରିଣୀତିଙ୍କ ଅଧା ଗୀତକୁ ପୂରା କରିଦେଲେ ଜଣେ ଗାୟକ; ଧନ୍ୟବାଦ ଦେଲେ ରାଘବଙ୍କ ଶ୍ରୀମତୀ – Utkal Mail
ମୁମ୍ବାଇ: ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ବ୍ୟତୀତ ପରିଣୀତି ଚୋପ୍ରା ଜଣେ ଭଲ ଗାୟିକା ମଧ୍ୟ। ସେ ଅନେକ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ଗୀତର ଭିଡିଓ ସେୟାର କରିଥାନ୍ତି। ତାଙ୍କ କଣ୍ଠସ୍ବରକୁ ପ୍ରଶଂସକ ବି ଖୁବ୍ ପସନ୍ଦ କରିଥାନ୍ତି। ଏପରିକି ନିଜ ବାହାଘର ଉତ୍ସବରେ ବି ପରୀ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ହାତଛଡ଼ା କରିନଥିଲେ।
ଅଭିନେତ୍ରୀ ନିଜ ସ୍ୱରରେ ଏକ ସ୍ୱତନ୍ତ୍ର ଗୀତ ରଚନା କରି ବିବାହରେ ତାଙ୍କ ସ୍ବାମୀ ରାଘବଙ୍କୁ ଉତ୍ସର୍ଗ କରିଥିଲେ। ଗୀତ ଗାଇ ଗାଇ ମଞ୍ଚରେ ରାଜକୀୟ ଶୈଳୀରେ ପ୍ରବେଶ କରିଥିଲେ ପରିଣୀତି। ତାଙ୍କ ଗୀତର ଶୀର୍ଷକ ଥିଲା ‘ଓ ପିୟା’।
ଯେଉଁ ଭିଡିଓଟି ରିଲିଜ୍ ହେବା ପରେ ପରେ ଟ୍ରେଣ୍ଡରେ ରହିଥିଲା । ବର୍ତ୍ତମାନ ଜଣେ ଗାୟକ ଏହି ଗୀତକୁ ରି-କ୍ରିଏଟ୍ କରି ନିଜ ସ୍ୱର ଦେଇଛନ୍ତି। ଯାହାକୁ ଶୁଣି ପ୍ରଶଂସା କରିଛନ୍ତି ପରିଣୀତି।
ଏହି ଗୀତର କଭର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି। ପରୀ ତାଙ୍କ ବାହାଘରରେ ଗାଇଥିବା ଗୀତଟି ରାଘବଙ୍କ ଉଦ୍ଦେଶ୍ୟରେ ଥିବା ବେଳେ ରି-କ୍ରିଏଟ୍ କରିଥିବା ଗାୟକ ଜଣକ ଗୀତଟିକୁ ରାଘବଙ୍କ ତରଫରୁ ପରୀଙ୍କ ପାଇଁ ତିଆରି କରିଛନ୍ତି। ଦୁଇଟି ଯାକ ଗୀତକୁ ମିଶାଇଦେଲେ ଏକ ପୂର୍ଣ୍ଣ ଗୀତ ପାଲଟି ଯାଉଛି।
ଏକ ସପ୍ତାହ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ୭ ହଜାରରୁ ଅଧିକ ଲାଇକ୍ ମିଳିଛି। ଏଥିରେ କମେଣ୍ଟ କରି ପରିଣୀତି ଲେଖିଛନ୍ତି, ‘‘ଖୁବ୍ ସୁନ୍ଦର, ଧନ୍ୟବାଦ’’।



