ବିଶ୍ବରେ ପ୍ରଥମ: ତାଲିବାନ୍ ଶାସିତ ଆଫ୍ଗାନିସ୍ତାନକୁ ରାଷ୍ଟ୍ରଦୂତ ପଠାଇଲା ଚୀନ୍ – Utkal Mail
କାବୁଲ୍: ତାଲିବାନ ଶାସିତ ଆଫଗାନିସ୍ତାନ ପାଇଁ ପ୍ରଥମ ଦେଶ ହିସାବରେ ଚୀନ୍ ବିଧିବଦ୍ଧ ଭାବେ ତା’ର ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଥିବା କଥା ବୁଧବାର ଦିନ ‘ରଏଟର୍ସ’ ରିପୋର୍ଟ କରିଛି।
ଏହି ଅବସରରେ ରାଜଧାନୀ କାବୁଲରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ନୂତନ ରାଷ୍ଟ୍ରଦୂତ ଜାଓ ସିଂଗ୍ ତାଙ୍କର ପରିଚୟ ଆଦି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣ ଜାହିର କରିବାର ଦୁଇ ବର୍ଷ ପରେ ଚୀନ୍ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି।
ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ବର ଅଧିକାଂଶ ଦେଶ ତାଲିବାନକୁ ଆଫଗାନିସ୍ତାନର ବୈଧ୍ୟ ସରକାର ବୋଲି ମାନ୍ୟତା ଦେଇନାହାନ୍ତି। କିନ୍ତୁ, ଉଗ୍ରପନ୍ଥୀ ଶାସନକୁ ବୈଧ୍ୟତାର ମାନ୍ୟତା ଦେଇ ବେଜିଙ୍ଗ୍ ସେଠାରେ ରାଷ୍ଟ୍ରଦୂତ ଅବସ୍ଥାପିତ କରାଇଛି କି, ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।
‘ରଏଟର୍ସ’ ରିପୋର୍ଟ ଅନୁସାରେ, ଚୀନ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏହା ହେଉଛି ଆଫଗାନିସ୍ତାନ ପ୍ରତି ଚୀନ୍ର ସ୍ବାଭାବିକ ରାଷ୍ଟ୍ରଦୂତ ପରିବର୍ତ୍ତନ ପ୍ରକ୍ରିୟା।
ଚୀନ୍ ଓ ଆଫଗାନିସ୍ତାନ ମଧ୍ୟରେ ଆଲୋଚନା ଓ ସହଯୋଗ ଅଗ୍ରଗତି କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଆଫଗାନିସ୍ତାନ ପ୍ରତି ଚୀନ୍ର ନୀତି ସୁସ୍ପଷ୍ଟ ଓ ଅପରିବର୍ତ୍ତନୀୟ ବୋଲି ମଧ୍ୟ ଚୀନ୍ର ବୈଦେଶିକ ମନ୍ତ୍ରାଳୟ କହିଛି।
‘ରଏଟର୍ସ’କୁ ଆଫଗାନ ବୈଦେଶିକ ମନ୍ତ୍ରାଳୟର ତାଲିବାନ୍ ଅଧିକାରୀମାନେ କହିଛନ୍ତି ଯେ, ୨୦୨୧ ଅଗଷ୍ଟ ପରଠାରୁ ଆଫଗାନିସ୍ତାନକୁ ରାଷ୍ଟ୍ରଦୂତ ପଠାଇବାରେ ଚୀନ୍ ହେଉଛି ପ୍ରଥମ ଦେଶ।
ତାଲିବାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ମହମ୍ମଦ ହସନ୍ ଅଖୁନ୍ଦ ସିଂଗ୍ଙ୍କ ପରିଚୟପତ୍ର ସ୍ବୀକାର କରି ତାଙ୍କୁ ନୂତନ ପଦବୀକୁ ସ୍ବାଗତ କରିଛନ୍ତି।
ଆଫଗାନ ‘ପ୍ରେସିଡେନ୍ସିଆଲ୍ ପାଲେସ୍’ରେ ଆୟୋଜିତ ଏହି ବିଶେଷ ଉତ୍ସବର ଫଟୋ ମଧ୍ୟ ତାଲିବାନ ସରକାର ପ୍ରକାଶ କରିଛନ୍ତି।