ପୋଲାଣ୍ଡରେ ବିଶ୍ୱଯୁଦ୍ଧ ଅମଳର ବୋମା ମିଳିବା ପରେ ୧୪ ହଜାର ଲୋକ ସ୍ଥାନାନ୍ତର – Utkal Mail
ଲୁବଲିନ: ଶୁକ୍ରବାର ପୋଲାଣ୍ଡର ଲୁବଲିନ ସହରର ଏକ ଅଞ୍ଚଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ୨୫୦ କିଲୋଗ୍ରାମ୍ ଓଜନର ଏକ ବୋମା ମିଳିବା ପରେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବୋମା ମିଳିଥିବା ସ୍ଥାନଠାରୁ ଏକ ନିର୍ଦ୍ଦିଷ୍ଟ ପରିଧିରେ ରହୁଥିବା ୧୪,୦୦୦ରୁ ଅଧିକ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ବୋମା ମିଳିଥିଲା। ଅଧିକାରୀମାନେ ନିରାପଦ ସ୍ଥାନକୁ ଯିବା ପୂର୍ବରୁ ଲୋକଙ୍କୁ ଘରେ ବିଦ୍ୟୁତ୍, ଜଳ ଏବଂ ରନ୍ଧନ ଗ୍ୟାସ୍ ବନ୍ଦ କରିବାକୁ ମଧ୍ୟ କହିଥିଲେ।
ପରେ ଏହି ବୋମାକୁ ସଫଳତାର ସହ ଉକ୍ତ ସ୍ଥାନରୁ ହଟାଇ ଦିଆଯିବା ସହ ଅକାମୀ କରାଯାଇଥିଲା। ଏହାପରେ ଅଧିକାରୀମାନେ ପୁଣି ଲୋକଙ୍କୁ ନିଜ ନିଜ ଘରକୁ ଫେରିବାକୁ ଆଦେଶ ଦେଇଥିଲେ। ୧୯୩୯ରୁ ୧୯୪୫ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲୁବଲିନ ଉପରେ ବହୁ ବୋମା ପକାଯାଇଥିଲା। ପୂର୍ବ ପୋଲାଣ୍ଡରେ ଯୁଦ୍ଧ ପୂର୍ବରୁ ଏକ ବିମାନବନ୍ଦର ଏବଂ ବିମାନ କାରଖାନା କାର୍ଯ୍ୟ କରୁଥିଲା। ନାଜି ଜର୍ମାନୀ ଦଖଲରେ ଲୁବଲିନର ଏକ କାରାଗାର ଏବଂ ଶ୍ରମ ଶିବିର ମଧ୍ୟ ଥିଲା।
ପୋଲାଣ୍ଡରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା ଅନେକବାର ମିଳିଛି। ଗତ ମାସରେ ପୋଲାଣ୍ଡର ଏକ ପ୍ରାଥମିକ ବିଦ୍ୟାଳୟର ନବୀକରଣ ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମା ମିଳିଥିଲା। ସେହିଭଳି ପୋଲାଣ୍ଡର ତୃତୀୟ ବୃହତ୍ତମ ସହର ରୋକ୍ଲରୁ ଗତବର୍ଷ ଏକ ୫୦୦ କିଲୋଗ୍ରାମ ଓଜନର ବିଶ୍ୱଯୁଦ୍ଧ ସମୟର ବୋମା ଆବିଷ୍କୃତ ହେବା ପରେ ପ୍ରାୟ ୩୦,୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିଲା।