କଂଗ୍ରେସକୁ ଥରୁର୍ଙ୍କ ଚେତାବନୀ: ମୋ ପାଖରେ ବି ବିକଳ୍ପ ଅଛି, କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜକୁ ଯୋଗ୍ୟ ଘୋଷଣା କଲେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର୍ ଆଜି ବି ଦଳ ବିରୋଧରେ କଡ଼ା ବୟାନ ଦେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି ଏବଂ ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ। ଯଦି କଂଗ୍ରେସ ଦଳ ମୋତେ ଆବଶ୍ୟକ କରୁନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ରହିଛି। କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି ଯେ ସ୍ୱାଧୀନ ସଂଗଠନ ଦ୍ୱାରା କରାଯାଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି। ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି। ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି।
ମୋର ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ଥରୁର୍ କହିଛନ୍ତି। ତାଙ୍କ ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି। ଅତୀତରେ ଥରୁର୍ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଅତ୍ୟନ୍ତ ସଫଳ ଦର୍ଶାଇଥିବାରୁ କଂଗ୍ରେସ ନେତାଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି। ଗତକାଲି ଥରୁର୍ ଦଳର ବରିଷ୍ଠ ନେତାମାନଙ୍କୁ କଟାକ୍ଷ କରି କହିଥିଲେ, ଯେଉଁଠି ଅଜ୍ଞାନତାକୁ ପରମାନନ୍ଦ ଭାବେ ଗ୍ରହଣ କରାଯାଉଛି, ସେଠାରେ ଜ୍ଞାନର ପରିପ୍ରକାଶ କରିବା ବୋକାମି। କଂଗ୍ରେସକୁ ଚେତାଇ ଦେଇ ଥରୁର କହିଛନ୍ତି, କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଦଳକୁ ୨୬ରୁ ୨୭ ପ୍ରତିଶତ ଅତିରିକ୍ତ ଭୋଟ୍ ଦରକାର। ଗତ ଦୁଇଟି ନିର୍ବାଚନରେ ଯେଉଁମାନେ ଆମକୁ ସମର୍ଥନ କରିନାହାଁନ୍ତି, ଆମକୁ ସେମାନଙ୍କ ଆବଶ୍ୟକତା ରହିଛି। ଦଳ ନିଜର ଭବିଷ୍ୟତ ନେଇ ଭଲଭାବେ ଚିନ୍ତା କରୁ ବୋଲି ଥରୁର୍ କହିଛନ୍ତି।