ଶିକ୍ଷା

ଜଣେ ମାତ୍ର ଶିକ୍ଷୟିତ୍ରୀରେ ଚାଲିଛି ପାଠ ପଢ଼ା, ହନ୍ତସନ୍ତ ହେଉଛନ୍ତି ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ

ଚକାଚକ୍‌ କ୍ଲାସ ରୁମ୍ । ରୂପାନ୍ତରିକରଣ ପରେ ବଦଳି ଯାଇଛି ଶ୍ରେଣୀ ଗୃହର ନକ୍ସା । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ସୁନ୍ଦର ବେଂଚ୍‌ ଓ ଡେକ୍ସର ହୋଇଛି ବ୍ୟବସ୍ଥା । କିନ୍ତୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଇ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷୟିତ୍ରୀ । ଶିକ୍ଷାର ଏଭଳି ବିକଳ ଚିତ୍ର କନ୍ଧମାଳ ଜିଲ୍ଲା ଡକାଙ୍ଗି ଗାଁରେ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ତୁଡିପାଜୁ ଗାଁ ପଞ୍ଚାୟତ ଡକାଙ୍ଗି ଗାଁରେ ରହିଛି ସରକାରୀ ସେବାଶ୍ରମ ବିଦ୍ୟାଳୟ । ବିଦ୍ୟାଳୟରେ ଉପଯୁକ୍ତ ଶ୍ରେଣୀ ଗୃହ ରହିଥିବା ବେଳେ ଶୌଚାଳୟ ରହିଛି, ପାନୀୟ ଜଳର ବ୍ୟବସ୍ଥା ଅଛି ତା ସାଙ୍ଗକୁ ରହିଛି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା । କିନ୍ତୁ ସେବାଶ୍ରମରେ ଶିକ୍ଷୟିତ୍ରୀ ମାତ୍ର ଜଣେ । ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ସପ୍ତମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କେତେବେଳ ଯେ କାହାକୁ ପାଠ ପଢାଇବେ ସେନେଇ ଶିକ୍ଷୟିତ୍ରୀ ମଧ୍ୟ ଦ୍ଵନ୍ଦରେ ରହୁଛନ୍ତି । ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢାଇଲେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଠ ପଢ଼ାରେ ସମସ୍ୟା ହେଉଛି ।

ବିଦ୍ୟାଳୟରେ କର୍ମଚାରୀ ଓ ଜଣେ ମାତ୍ର ଶିକ୍ଷୟିତ୍ରୀ ରହିଥିବାରୁ ବିଦ୍ୟାଳୟ ପରିସର ପୁରା ଘାସ ଲତାରେ ପରିପୁର୍ଣ୍ଣ ହୋଇ ରହିଛି । ଶିକ୍ଷୟିତ୍ରୀଙ୍କୁ ଯଦି କୌଣସି ଅଫିସିଆଲ କାମ ପଡେ ତେବେ ସେହି ଦିନ ଶିକ୍ଷୟିତ୍ରୀ ବିଳମ୍ୱରେ ଆସନ୍ତି ଆଉ ପିଲାଙ୍କ ପାଠ ପଢା ମଧ୍ୟ ବନ୍ଦ ରୁହେ । ଏନେଇ ବାରମ୍ୱାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଶିକ୍ଷୟିତ୍ରୀ କିନ୍ତୁ ଫଳ ଶୂନ । ଗ୍ରାମବାସୀ ମାନେ ମଧ୍ୟ ବିଦ୍ୟାଳୟରେ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ ।

ବିଦ୍ୟାଳୟରେ ରହିଥିବା ସମସ୍ୟା ସମ୍ପର୍କରେ ଆମେ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ମନା କରିଥିଲେ । ଏଭଳି କନ୍ଧମାଳ ଜିଲ୍ଲାରେ ୨୪ ଗୋଟି ସେବାଶ୍ରମ ରହିଛି ଯେଉଁଠି କି ଜଣେ ମାତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭରସାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button