ଶିକ୍ଷା ପାଇଁ ୪,୦୦୦ କି.ମି. ସାଇକେଲ ଯାତ୍ରା – Utkal Mail
ନିଜ ସ୍ବପ୍ନର ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇବା ପାଇଁ ଗାଏନାର ଜଣେ ଛାତ୍ର ପଶ୍ଚିମ ଆଫ୍ରିକାରେ ଦୀର୍ଘ ୪,୦୦୦ କି.ମି. ସାଇକେଲରେ ଯାତ୍ରା କରି ୬ଟି ଦେଶ ଅତିକ୍ରମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଇଜିପ୍ଟର ସମ୍ମାନଜନକ ଅଲ୍-ଆଝାର ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ମାମାଦୌ ସାଫାୟୌ ବ୍ୟାରି ନାମକ ଏହି ୨୫ ବର୍ଷୀୟ ଛାତ୍ର ଜଣକ ଗତ ମେ’ ମାସରେ ଗାଏନାରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ, ୬୭୦ ଖ୍ରୀଷ୍ଟାବ୍ଦରେ ସ୍ଥାପିତ କାଏରୋ ସ୍ଥିତ ଅଲ୍-ଆଝାର ବିଶ୍ବବିଦ୍ୟାଳୟ ବିଶ୍ବର ସୁନ୍ନି ଇସଲାମିକ ଶିକ୍ଷାର ସବୁଠାରୁ ପ୍ରଭାବଶାଳୀ କେନ୍ଦ୍ର ଭାବେ ବିବେଚିତ। ସେଠାରେ ଇସଲାମିକ୍ ପାଠ୍ୟକ୍ରମ ପଢ଼ିବା ପାଇଁ ବ୍ୟାରିଙ୍କ ପାଖରେ ନା ସମ୍ବଳ ଥିଲା ନା ସେ ଇଜିପ୍ଟକୁ ବିମାନ ଯୋଗେ ଯିବାକୁ ସମର୍ଥ ଥିଲେ।
କେବଳ ପାଠ ପଢ଼ିବାର ଇଚ୍ଛାଶକ୍ତି ତାଙ୍କୁ ସାଇକେଲ୍ରେ ମାଲି, ବୁର୍କିନା ଫାସୋ, ଟୋଗୋ, ବେନିନ, ନାଇଜର ଓ ଚାଦ ଆଦି ଦେଶ ଅତିକ୍ରମ କରିବାକୁ ଉତ୍ସାହିତ କରିଥିଲା ବୋଲି ନିଜ ଯାତ୍ରା ଶେଷରେ ବ୍ୟାରି କହିଛନ୍ତି। ସେଥିମଧ୍ୟରୁ କେତେକ ଦେଶରେ ସାଧାରଣ ନାଗରିକଙ୍କ ଉପରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ଲାଗି ରହିଥିବା ଯୋଗୁଁ ଏହି ସବୁ ଦେଶ ବାଟେ ତାଙ୍କର ଯାତ୍ରା ଭୀଷଣ ବିପଦପୂର୍ଣ୍ଣ ଥିଲା। ଏପରିକି ମାଲି ଓ ବୁର୍କିନା ଫାସୋରେ ଲୋକେ ତାଙ୍କୁ ସନ୍ଦିଗ୍ଧ ଦୃଷ୍ଟିରେ ଚାହୁଁଥିଲେ। ବିନା କାରଣରେ ତାଙ୍କୁ ତିନି ଥର ଗିରଫ ହେବାକୁ ପଡ଼ିଥିଲା। ତେବେ ଚାଦରେ ପହଞ୍ଚିଲା ପରେ ପରିସ୍ଥିତି ଅନୁକୂଳ ହୋଇଥିଲା। ଜଣେ ସାମ୍ବାଦିକ ତାଙ୍କର ଏହି ଅଭିଯାନର କାହାଣୀ ସାମାଜିକ ଗଣମାଧ୍ୟମରେ ଛାଡ଼ିଲା ପରେ କିଛି ଦୟାଳୁ ବ୍ୟକ୍ତି ତାଙ୍କ ପାଇଁ ଇଜିପ୍ଟ ଯାଏ ବିମାନ ଟିକେଟ ବ୍ୟବସ୍ଥା କରାଇଥିଲେ। ଫଳରେ ତାଙ୍କୁ ଆଉ ସର୍ବାଧିକ ବିପଦପୂର୍ଣ୍ଣ ଯୁଦ୍ଧଗ୍ରସ୍ତ ସୁଦାନ ଦେଶ ବାଟେ ସାଇକେଲ ଯାତ୍ରା କରିବାକୁ ପଡ଼ିନଥିଲା। ଶେଷରେ ସେପ୍ଟେମ୍ବର ୫ରେ ସେ କାଏରୋରେ ପହଞ୍ଚିଥିଲେ ଏବଂ ସେଠାରେ ଛାତ୍ରବୃତ୍ତି ମିଳିଥିବାରୁ ସେ ବହୁତ ଖୁସିରେ ବିଶ୍ବବିଦ୍ୟାଳୟ ପାଠପଢ଼ା ଆରମ୍ଭ କରିଛନ୍ତି।