ପାରିବାରିକ କଳହ: ଦୁଇ ସମ୍ପର୍କୀୟ ଭାଇଙ୍କୁ ହାଣି ନିର୍ମମ ହତ୍ୟା – Utkal Mail
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଦୁଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ପାରିବାରିକ କଳହର ଆଜି କରୁଣ ପରିଣତି ଦେଖିବାକୁ ମିଳିଛି। ଗୋଟିଏ ପରିବାର ପକ୍ଷରୁ ଦୁଇ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ସହ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ସୁନାରିଝୋଳା ଗ୍ରାମର ମିଥୁନ୍ ଭୂୟାଁ (୩୦) ଓ ତାଙ୍କ ମାଉସୀ ପୁଅ ଭାଇ ତଥା ହିଞ୍ଜିଳିକାଟୁ ଥାନା ନୂଆଗଡ଼ ଗ୍ରାମର ଲିପୁନ୍ ସ୍ବାଇଁ।
ସୂଚନାନୁସାରେ, ପଙ୍କଳବାଡ଼ି ଗ୍ରାମରେ ରହୁଥିବା ଦୁଇ ସଂପର୍କୀୟ ଭାଇ ଜାନକୀ ଭୂୟାଁ ଓ ମିଥୁନ୍ ଭୂୟାଁଙ୍କ ପରିବାର ମଧ୍ୟରେ ବିଭିନ୍ନ କାରଣକୁ ନେଇ ଆଗରୁ ଗଣ୍ଡଗୋଳ ଲାଗି ରହୁଥିଲା। ଆଜି ତାହା ଉଗ୍ର ରୂପ ନେଇଥିଲା। ସନ୍ଧ୍ୟାରେ ଜାନକୀଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୮ ଜଣ ମିଶି ଅତର୍କିତ ଭାବେ ମିଥୁନ୍ ଏବଂ ଲିପୁନ୍ଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପଡ଼ିଥିବାରୁ ମିଥୁନ୍ ଓ ଲିପୁନ୍ଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।