‘ଏକ୍ସ’ ମାସିକିଆ ଫି’ ଅସୁଲ କରିବ – Utkal Mail
ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ କିଣିବା ପରେ ତାହାର ନାମକୁ ପରିବର୍ତ୍ତନ କରି ‘ଏକ୍ସ’ ରଖିଥିବା ବେଳେ କଂପାନିର ନୀତିରେ ଆହୁରି ଅନେକ ପରିବର୍ତ୍ତନ ଜାରି ରଖିଛନ୍ତି। କଂପାନିର ଆର୍ଥିକ ସ୍ଥିତି ସଜାଡ଼ିବା ଲାଗି ବ୍ଲୁ ଟ୍ୟାଗ୍ ପାଇଁ ଫି’ ଅସୁଲ କରୁଥିବା ମସ୍କ ଏବେ ସବୁ ବ୍ୟବହାରକାରୀଙ୍କଠାରୁ ମାସିକିଆ ଫି’ ଆଦାୟ କରିବା ବିଷୟରେ ଚିନ୍ତା କରୁଛନ୍ତି। ଏବେ କଂପାନି ବ୍ଲୁ ଟିକ୍ ପାଇଁ ମାସିକ ୯୦୦ ଟଙ୍କା ଆଦାୟ କରୁଛି। ମାସିକିଆ ଫି’ ବାବଦରେ ସବୁ ଗ୍ରାହକଙ୍କଠାରୁ କଂପାନି କେତେ ଟଙ୍କା ସଂଗ୍ରହ କରିବ ଜଣାପଡ଼ିନାହିଁ। ମସ୍କ କହିଛନ୍ତି ଯେ ନକଲି ଆକାଉଣ୍ଟ୍ ସମସ୍ୟା ଦୂର କରିବା ଲାଗି ପ୍ରତି ବ୍ୟବହାରକାରୀଙ୍କଠାରୁ ସ୍ବଳ୍ପ ପରିମାଣର ମାସିକିଆ ଫି’ ସଂଗ୍ରହ କରାଯିବ।
ନକଲି ଆକାଉଣ୍ଟ୍ ବଟ୍ ଭାବେ ପରିଚିତ ଯାହା ମଣିଷ ନୁହେଁ ବରଂ କମ୍ପ୍ୟୁଟର ଦ୍ବାରା ପରିଚାଳିତ ହେଉଛି। ରାଜନୈତିକ ବାର୍ତାଠାରୁ ଆରମ୍ଭ କରି ଘୃଣା ସୃଷ୍ଟିକାରୀ ମନ୍ତବ୍ୟକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାରେ ବଟ୍କୁ ବ୍ୟବହାର କରାଯାଏ। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା ବେଳେ ବଟ୍କୁ କିଭଳି ନିୟନ୍ତ୍ରଣ କରାଯିବ ବୋଲି ମସ୍କଙ୍କୁ ନେତାନ୍ୟାହୁ ପ୍ରଶ୍ନ କରିଥିଲେ। ତାହାର ଉତ୍ତରରେ ମସ୍କ କହିଛନ୍ତି ଯେ ଅଳ୍ପ ପରିମାଣର ମାସିକିଆ ଫି’ ସଂଗ୍ରହ କରିବା ଆଡ଼କୁ ଆମେ ଅଗ୍ରସର ହେଉଛୁ। କେବଳ ସେହି ଉପାୟରେ ଏହି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ମସ୍କ କହିଛନ୍ତି। ଯଦି ଡଲାରର ଏକ ଦଶମାଂଶକୁ ଫି’ ଭାବେ ଅସୁଲ କରାଯିବ ତେବେ ବଟ୍ ଉପରେ ତାହାର ଗଭୀର ପ୍ରଭାବ ପଡ଼ିବ। କାରଣ ଏକାଧିକ ବଟ୍ ପାଇଁ ଏକାଧିକ ଥର ପେମେଣ୍ଟ୍ କରିବାକୁ ପଡ଼ିବ ଯାହା ସହଜ କାମ ନୁହେଁ। ଏହା ବ୍ୟତୀତ ବହୁ ଥରରେ ବଟ୍ ପାଇଁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ିପାରେ ବୋଲି ମସ୍କ କହିଛନ୍ତି।