Online auto driver: ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ଘଟଣା, କ୍ଷମା ମାଗିଲା ସଂଘ

ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ । ମୁହଁ ଖୋଲିଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋମହାସଂଘର ସଭାପତି ଦୀନବନ୍ଧୁ ନାୟକ । ସେଦିନର ଘଟଣା ପାଇଁ ଜନସାଧାରଣଙ୍କୁ କଲେ କ୍ଷମା ପ୍ରାର୍ଥନା । ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରି ନିଜର ସମସ୍ୟା କଥା କହିଛନ୍ତି । ଏପରିକି ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି । ଚାକିରି ନପାଇ ଅଟୋ ଚଳାଉଛୁ । ଶାନ୍ତିପୂର୍ଣ୍ଣ ଧାରଣାରେ ଥିଲୁ । ତାପରେ ଗଣ୍ଡଗୋଳ ହେଲା । କିନ୍ତୁ ଆମେ ଗୁଣ୍ଡା ନୁହେଁ । ହକ୍ ପାଇଁ ଲଢେଇ କରୁଥିଲୁ ବୋଲି କହିଛନ୍ତି ଦୀନବନ୍ଧୁ । ପୋଲିସ ମାଇଲେଜ୍ ପାଇବାପାଇଁ ଗୁଣ୍ଡା ସଜେଇ ଦେଲା ବୋଲି ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନ ପଛରେ କୋଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ମଧ୍ୟ କହିଛନ୍ତି । ଅନ୍ୟପଟେ ଘଟଣାରେ ୧୧୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏହା ସହ ୩୫୪ ଟି ଗାଡ଼ି ଜବତ କରିଛି ପୋଲିସ।
ସେପଟେ ଗତକାଲି ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେମାନେ ଆଇନକୁ ହାତକୁ ନେଇଛନ୍ତି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ସରକାରୀ ଗାଡି ଭାଙ୍ଗିଛନ୍ତି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସେମାନଙ୍କୁ କ୍ଷମା କରାଯିବ ନାହିଁ । ଏମିତି କି ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକ ମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଏନେଇ ସରକାର ବିଚାର କରୁଛନ୍ତି । ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ । ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ।


