ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା: ଆଜି ନେଦରଲାଣ୍ଡ୍ସକୁ ଭେଟିବ – Utkal Mail
ଧର୍ମଶାଳା: ଚଳିତ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ ସହ ପ୍ରଥମ ଦୁଇଟି ଯାକ ମ୍ୟାଚ୍ ଜିତିଛି। ମଙ୍ଗଳବାର ଏହି ଦଳ ଧର୍ମଶାଳାରେ ନେଦରଲାଣ୍ଡ୍ସକୁ ଭେଟିବ। ଏହି ମ୍ୟାଚ୍ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ତେମ୍ବା ବଭୂମାଙ୍କ ଦଳ। ନୂଆଦିଲ୍ଲୀରେ ନିଜର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା କୀର୍ତ୍ତିମାନ ଭରା ସ୍କୋର୍ (୪୨୮/୫) କରିବା ସହ ୧୦୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହାପରେ ଲକ୍ଷ୍ନୌରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୧୩୪ ରନ୍ରେ ମାତ୍ ଦେଇଥିଲା। ତେଣୁ ମଙ୍ଗଳବାର ନେଦରଲାଣ୍ଡ୍ସ ବିପକ୍ଷରେ ଆଗରେ ରହିବ ଏହି ଦଳ। ୱିକେଟ୍ ରକ୍ଷକ ବ୍ୟାଟର୍ କ୍ବିଣ୍ଟନ ଡି’କକ୍, ରାଶି ଭାନ୍ ଡର ଦୁସେନ ଓ ଐଦେନ ମାରକ୍ରମ ସୁନ୍ଦର ଖେଳିଛନ୍ତି। ଏହି ତିନି ଜଣ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲା ବେଳେ ଏମାନଙ୍କୁ ହେନରିକ କ୍ଲାସେଁ ଓ ଡେଭିଡ ମିଲର ସହଯୋଗ କରିବାରୁ ଦଳ ବଡ଼ ସ୍କୋର୍ କରିଥିଲା। ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ଚମକହୀନ ରହିଥିଲେ ମଧ୍ୟ ବଡ଼ ସ୍କୋର୍ ଯୋଗୁଁ ଏହାର ପ୍ରଭାବ ଦଳ ଉପରେ ପଡ଼ି ନଥିଲା। ଏହା ପର ମ୍ୟାଚ୍ରେ ଡି’କକ୍ ଲଗାତାର ଶତକ ହାସଲ କରିଥିଲା ବେଳେ ବୋଲର ମାର୍କୋ ୟାନସେନ ଓ କାଗିସୋ ରବାଦାଙ୍କ ଧମକା ବଳରେ ଅଷ୍ଟ୍ରେଲିଆକୁ ୧୭୭ ରନ୍ରେ ଅଟକାଇ ସହଜ ବିଜୟ ପାଇଥିଲା।
ନେଦରଲାଣ୍ଡ୍ସ ଦଳରେ ବହୁତ କମ୍ ପରିଚିତ ଖେଳାଳି ଥିବାରୁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ଚାହିବ। ତେବେ ନେଦରଲାଣ୍ଡ୍ସ ସହଜରେ ବାଟ ଛାଡ଼ିବନି। ୨୦୦୯ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡକୁ ହରାଇ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ଘଟାଇଥିଲା। ଗତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର ୧୨ରେ ଏହି ଦଳ ୧୦ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଦାୟ ରାସ୍ତା ଦେଖାଇଥିଲା। ଟ୍ବେଣ୍ଟି-୨୦ରେ ଏହି ସଫଳତା ପାଇଥିଲେ ମଧ୍ୟ ମଙ୍ଗଳବାର ଦିନିକିଆରେ ଦୋହରାଇବାକୁ ସ୍କଟ ଏଡୱାର୍ଡ୍ସଙ୍କ ଦଳ ଚେଷ୍ଟା କରିବ। କ୍ରିକେଟ୍ରେ ସବୁ କିଛି ସମ୍ଭବ। ରବିବାର ଇଂଲଣ୍ଡକୁ ହରାଇ ଆଫ୍ଗାନିସ୍ତାନ ବିପର୍ଯ୍ୟୟ କରିଥିବାରୁ ନେଦରଲାଣ୍ଡ୍ସ ଏହି ଆଶାରେ ରହିବ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: କ୍ବିଣ୍ଟନ ଡି’କକ୍ (ୱିକେଟ୍ ରକ୍ଷକ), ତେମ୍ବା ବଭୂମା (ଅଧିନାୟକ), ରାଶି ଭାନ୍ ଡର ଦୁସେନ, ଐଦେନ ମାରକ୍ରମ, ଡେଭିଡ ମିଲର, ହେନରିକ କ୍ଲାସେନ, ମାର୍କୋ ୟାନସେନ, କାଗିସୋ ରବାଦା, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି, ତାବ୍ରିଜ ସାମ୍ସି/ଗେରାଲ୍ଡ କୋଏଜି।
ନେଦରଲାଣ୍ଡ୍ସ ସମ୍ଭାବ୍ୟ ଏକାଦଶ: ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ, କଲିନ ଆକରମାନ, ବାସ ଡି’ ଲିଡ୍, ତେଜା ନିଦାମନୁରୁ, ସ୍କଟ ଏଡୱାର୍ଡ୍ସ (ଅଧିନାୟକ, ୱିକେଟ୍ ରକ୍ଷକ), ସିବ୍ରାଣ୍ଡ ଏଙ୍ଗଲବ୍ରିଚ, ରୋଏଲଫ ଭାନ ଡର ମେରୱି, ଲଗନ ଭାନ୍ ବିକ/ରିଆନ କ୍ଲେନ, ଆର୍ଯ୍ୟନ ଦତ୍ତ, ପଲ ଭାନ ମୀକେରନ।