ହରିପୁର ଜଙ୍ଗଲରୁ ସୁଟକେଶରୁ ମୃତଦେହ ମାମଲା, ପତ୍ନୀ ସମେତ ୩ ଗିରଫ
ଚିଲିକା : ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ମୃତକଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । କୋର୍ଟ ଚାଲାଣ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ହେଲେ ମୃତ ଯୁବକ ମନୋରଞ୍ଜନ ମହାପାତ୍ର(୩୨)ଙ୍କ ପତ୍ନୀ ମିିଲି ଦାସ, ନୟାଗଡ଼ ଜିଲ୍ଲାର ତାଙ୍କ ସମ୍ପର୍କୀୟ ଭାଇମିଟୁ ଦାସ(୨୬) ଓ ଟାଙ୍ଗୀ ଥାନା ଅନ୍ତର୍ଗତ ମିିଲିଙ୍କ ପୁରୁଷ ବନ୍ଧୁ ବିକ୍ରମ କୁମାର ସାହୁ(୨୯) ।
ପୁଲିସ ସୂଚନା ମୁତାବକ, ମୃତ ଯୁବକ ନୟାଗଡ଼ ଜିଲ୍ଲାର ବଳଭଦ୍ରପୁର ପଞ୍ଚାୟତର ଲାଖପଡ଼ା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର । ମନୋରଞ୍ଜନଙ୍କ ନାଁରେ ୨ରୁ ୩ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ତାଙ୍କ ଗିରଫଦାରୀ ପାଇଁ ପୁଲିସ ୱାରେଣ୍ଟ ରହିଥିଲା । ଏଥିସହିତ ପୂର୍ବରୁ ରହୁଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନିଜ ବାସସ୍ଥଳୀରେ ବିଭିନ୍ନ ସମସ୍ୟା ଉପୁଜିବାରୁ ସେ ପରିବାର ସହ ଚିଲିକା ବ୍ଲକର ଚଣ୍ଡେଶ୍ୱର ଅଧୀନ ଦାରୁ ଗାଁରେ ଘର ଭଡ଼ା ନେଇ ରହୁଥିଲେ । ମୃତ ଯୁବକ ମନୋରଞ୍ଜନ ମଦ୍ୟପାନ କରି ପତ୍ନୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ସେ ଗତ ୨୦ ତାରିଖରେ ପତ୍ନୀ ମିିଲିଙ୍କୁ ପ୍ରବଳ ମାଡ଼ ମାରିବାରୁ ପତ୍ନୀ ଅସହାୟ ହୋଇ ସ୍ୱାମୀ ମନୋରଞ୍ଜନଙ୍କୁ ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ । ଏଣୁ ଗତ ୨୧ ତାରିଖ ରାତିରେ ଅଭିଯୁକ୍ତ ମିଲି ସମ୍ପର୍କୀୟ ଭାଇ ମିଟୁ ଓ ପୁରୁଷ ବନ୍ଧୁ ବିକ୍ରମଙ୍କୁ ଡକାଇ ଘରେ ଭୋଜି ଆସର କରିବା ସହ ସ୍ୱାମୀ ମନୋରଞ୍ଜନଙ୍କୁ ମାତ୍ରାଧିକ ମଦ ପିଆଇ ଅଚେତ କରିବା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ଚାନ୍ଦପୁର ବଜାରରୁ ଏକ ଟ୍ରଲି ସୁଟକେଶ କିଣି ତା’ ମଧ୍ୟରେ ମୃତଦେହ ଭର୍ତ୍ତି କରି ହରିପୁର ଜଙ୍ଗଲ ମଧ୍ୟରେ ଫୋପାଡ଼ି ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟାରିଆ ଉପରୋକ୍ତ ସୂଚନା ପ୍ରଦାନ ବେଳେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଥାନାଧିକାରୀ ଚନ୍ଦ୍ର ଶେଖର ଜେନା ଓ ଟାଙ୍ଗୀ ଥାନାଧିକାରୀ ଦିଗ ବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ ।