ଜି ୨୦ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ରୁଷ୍: ବିଦେଶ ମନ୍ତ୍ରୀ ୟୁକ୍ରେନର ସମାଲୋଚନା – Utkal Mail
ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀକୁ ରାଜନୀତୀକରଣ କରିବା ଉଦ୍ୟମକୁ ଭାରତ ରୋକିପାରିଛି। ଏଥିପାଇଁ ରୁଷ୍ର ବିଦେଶ ବ୍ୟାପାର ମନ୍ତ୍ରୀ ସର୍ଗି ଲାବରୋଭ ଭାରତକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସମ୍ମିଳନୀର କାର୍ଯ୍ୟକ୍ରମରେ ୟୁକ୍ରେନ ପ୍ରସଙ୍ଗକୁ ଅତ୍ୟଧିକ ଗୁରୁତ୍ବ ଦେବାଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରଖିଥିବା ପ୍ରୟାସକୁ ଆମେ ସଫଳତାର ସହିତ ଅଟକାଇ ପାରିଛ ବୋଲି ଗଣମାଧ୍ୟମକୁ ଲାବରୋଭ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି ୨୦ ସମ୍ମିଳନୀକୁ ଲାବରୋଭ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଭାରତର ସକ୍ରିୟ ସଭାପତିତ୍ବ ଆଫ୍ରିକୀୟ ଦେଶଗୁଡ଼ିକୁ ଜି ୨୦ରେ ପ୍ରଥମ ଥର ପାଇଁ ସାମିଲ କରିବାରେ ସଫଳ ହୋଇଛି। ଅନେକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ। ଜଳବାୟୁ ପରିବର୍ତ୍ତନ କାରଣରୁ ସୃଷ୍ଟି ହେଉଥିବା ଆହ୍ବାନ ପ୍ରସଙ୍ଗରେ ଲାବରୋଭ କହିଛନ୍ତି ଯେତେବେଳେ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକୁ ଏହି ସମସ୍ୟାର ସମାଧାନ ପାଇଁ ବାର୍ଷିକ ୧୦୦ ବିଲିଅନ ଡଲାର ଅର୍ଥରାଶି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ନେଇ ସେମାନେ କିଛି କରିନାହାନ୍ତି। ୟୁକ୍ରେନ ସଂପର୍କିତ ଲେଖା ପରିବର୍ତ୍ତନ କରିବା ପରେ ଜି ୨୦ର ସମସ୍ତ ନେତୃବର୍ଗ ନୂଆଦିଲ୍ଲୀ ଘୋଷଣାନାମା ସହ ସହମତ ହୋଇଛନ୍ତି।
ଅନ୍ୟପକ୍ଷରେ ନୂଆଦିଲ୍ଲୀ ଘୋଷଣାନାମାକୁ ୟୁକ୍ରେନ ସମାଲୋଚନା କରିଛି। ୟୁକ୍ରେନ ସଂପର୍କିତ ଲେଖାରେ ରୁଷ୍ ନାମ ଉଲ୍ଲେଖ କରାଯାଇ ନଥିବାରୁ ଯୁଦ୍ଧପୀଡ଼ିତ ଏହି ଦେଶ ଘୋଷଣାନାମାକୁ ସମାଲୋଚନା କରିଛି। ୟୁକ୍ରେନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଓଲେଗ ନିକୋଲେଙ୍କୋ କହିଛନ୍ତି ଏହା ଗର୍ବିତ ହେବାର ବିଷୟ ନୁହେଁ। ଜି ୨୦ ବୈଠକରେ ୟୁକ୍ରେନୀୟ ପକ୍ଷକୁ ଅଂଶଗ୍ରହଣ କରିବାର ଅନୁମତି ଦିଆଯାଇଥିଲେ ପରିସ୍ଥିତିକୁ ଭଲଭାବେ ବୁଝାଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି।