ପାକିସ୍ତାନରେ ପ୍ରଥମ ଏମ୍ପକ୍ସ ଆକ୍ରାନ୍ତ ଚିହ୍ନଟ, ସାଉଦି ଆରବ ଫେରନ୍ତା ବ୍ୟକ୍ତିଙ୍କଠାରେ ମିଳିଲା ଭାଇରସ୍

ପାକିସ୍ତାନରେ ଏମ୍ପକ୍ସ । ଦେଶରୁ ଚଳିତ ବର୍ଷର ପ୍ରଥମ ମାମଲା ସାମ୍ନାକୁ ଆସିଛି । ନିକଟରେ ସାଉଦି ଆରବରୁ ଫେରିଥିବା ଜଣେ ବ୍ୟକ୍ତିଙ୍କଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।
ମର୍ଦାନର ଜଣେ ବ୍ୟକ୍ତି ଅଗଷ୍ଟ ୩ରେ ପାକିସ୍ତାନରେ ପହଞ୍ଚିଥିଲେ । ପେଶାୱାରରେ ପହଞ୍ଚିବାର କିଛି ସମୟ ପରେ ତାଙ୍କଠାରେ ଲକ୍ଷଣ ଦେଖିବାକୁ ମିଳିଥିଲା ଏବଂ ପରେ ସେ ପରୀକ୍ଷା ପାଇଁ ଡାକ୍ତରଖାନା ଯାଇଥିଲେ ।
ପେଶାୱାରର ଖୈବର ମେଡିକାଲ୍ ୟୁନିଭର୍ସିଟି ଏହି ରୋଗକୁ ନିଶ୍ଚିତ କରିଛି ।
ସାଉଦି ଫେରନ୍ତା ବ୍ୟକ୍ତିଙ୍କଠାରେ ଏମ୍ପକ୍ସର ଭାଇରସ୍ ଚିହ୍ନଟ ପରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ବିମାନରେ ଥିବା ସାଥୀ ଯାତ୍ରୀଙ୍କ ସହିତ ସଂକ୍ରମିତ ବ୍ୟକ୍ତିଙ୍କ ସହ ନିକଟ ସମ୍ପର୍କରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲୋକଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ ଟ୍ରାସିଙ୍ଗ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ସେପଟେ ଏମ୍ପକ୍ସର ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି । ସ୍ୱିଡେନରେ ମଧ୍ୟ ଏମ୍ପକ୍ସର ପ୍ରଥମ ମାମଲା ଚିହ୍ନଟ କରାଯାଇଛି । ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମରଜେନ୍ସି’ ଘୋଷଣା କରିଛି ।