ଓଡିଶା

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ପୋଲିସର ପ୍ରଥମ ପ୍ରସ୍ତୁତି ବୈଠକ, ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ପାଖେଇ ଆସୁଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଆଜି ଅନୁଷ୍ଠିତ ହୋଇଥିଲା ପୋଲିସର ପ୍ରଥମ ବୈଠକ। ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଫନି ବାତ୍ୟା ପରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ସହ ଭିତ୍ତିଭୂମିର ପୁନରୁଦ୍ଧାର ହୋଇ ପାରି ନଥିବା ବେଳେ ରଥଯାତ୍ରା ସୁପରିଚାଳନା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ରଥଯାତ୍ରା ବେଳେ ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ରହଣି ସହ ଦେଶ ବିଦେଶରୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବା ବଡ଼ ଚ୍ୟାଲେଞ୍ଜ।

ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀର ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ। କେନ୍ଦ୍ରକୁ ମଗାଯାଇଛି ଦୁଇ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ । ସିଆରପିଏଫ୍‌, ବିଏସ୍‌ଏଫ୍‌ ଓ କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଫୋକସରେ ରହିବ ପୁରୀରେ ଆଇନ ଶୃଙ୍ଖଳା ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ସମୁଦ୍ର ତଟ ସୁରକ୍ଷା। ଏସବୁ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୀବ ପଣ୍ଡା, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ସେପଟେ ରଥଖଳାରେ ବି ଜୋରସୋରରେ କାମ ଚାଲିଛି। ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button