ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ: ଆସନ୍ତାକାଲି ବିଧାନସଭାରେ ଆଗତ ହେବ କି କମିଶନଙ୍କ ରିପୋର୍ଟ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏଥର ଗୃହରେ ଆଗତ ହେବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନଙ୍କ ରିପୋର୍ଟ । ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ କାଲି ଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭାରେ କୌଣସି ତଦନ୍ତ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପୂର୍ବରୁ କ୍ୟାବିନେଟରେ ଉପସ୍ଥାପିତ ହେବା କଥା । କ୍ୟାବିନେଟ ଅନୁମୋଦନ ପାଇବା ପରେ ତାହା ବିଧାନସଭାରେ ଉପସ୍ଥାପିତ ହୋଇଥାଏ । ହାଇକୋର୍ଟରେ ଏ ସଂକ୍ରାନ୍ତ ଆଗତ ଏକ ମାମଲାର ଶୁଣାଣି ଗତକାଲି ହୋଇଥିଲା । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ପାଇଁ ଆସିଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖକୁ ଧାର୍ଯ୍ୟ ହୋଇଛି ।
ଶେଷ ଥର ପାଇଁ ଗତବର୍ଷ ଜୁଲାଇ ୧୦ର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଗତକାଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଜୁଲାଇ ୧୦ରେ ଦାଖଲ ସତ୍ୟପାଠ ସମ୍ପର୍କରେ ଦର୍ଶାଯାଇଥିଲା ।
୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ । ୨୦୧୮ ଜୁନ୍ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମସ୍ ଅଫ୍ ରେଫରେନ୍ସ ପ୍ରକାଶ ପାଇଥିଲା । ତଦନ୍ତ ପରେ କମିସନ ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି । କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ ।