ଓଡିଶା

ବଙ୍ଗୋପସାଗରରେ ଉତ୍ପତି ହେଉଥିବା ଅଧିକାଂଶ ବାତ୍ୟା ଭାରତ ଉପକୂଳକୁ ଆକ୍ରାନ୍ତ କରେ : ବୈଜ୍ଞାନିକ

ଭୁବନେଶ୍ୱର,୭/୧୧ : ବଙ୍ଗୋପସାଗରରୁ ଉତ୍ପତି ହେଉଥିବା ଅଧିକାଂଶ ସାମୁଦ୍ରିକ ବାତ୍ୟା ଭାରତର ତଟୀୟ ଅଂଚଳକୁ ପ୍ରଭାବିତ କରିଥାଏ ଏବଂ ବିଶେଷ କରି ଓଡ଼ିଶାରେ ଏହାଦ୍ୱାରା ବହୁମାତ୍ରାରେ ଧନଜୀବନର କ୍ଷତି ହୋଇଥାଏ । ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ୧୮୯୧ ରୁ ୧୯୯୪ ମସିହା ମଧ୍ୟରେ ବଙ୍ଗୋପସାଗରରୁ ଉତ୍ପତି ହୋଇଥିବା ବାତ୍ୟା ଗୁଡ଼ିକ ମଧ୍ୟରୁ ୫୮ ପ୍ରତିଶତ ଭାରତୀୟ ଉପକୂଳରେ ଧ୍ୱଂସଲୀଳା ରଚିଥିବାବେଳେ ୧୫.୫ ପ୍ରତିଶତ ବାଂଲାଦେଶକୁ ଆକ୍ରାନ୍ତ କରିଥିଲା ।

ଏହାର ୭.୫ ପ୍ରତିଶତ ମିଆଁମାର ଆଡ଼କୁ ଗତି କରିଥିବାବେଳେ ୧ ପ୍ରତିଶତ ଶ୍ରୀଲଙ୍କାକୁ ଆକ୍ରାନ୍ତ କରିଥିଲା । ଏଥିରୁ ୧୮ ପ୍ରତିଶତ ସମୁଦ୍ର ମଧ୍ୟରେ ପ୍ରକୋପ ହରାଇ ନଷ୍ଟ ହୋଇଯାଇଥିଲା ବୋଲି ମଙ୍ଗଳବାର ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି କହିଛନ୍ତି ।

ପ୍ରଫେସର ମହାନ୍ତି ଭାରତୀୟ ପାଣିପାଗ ବିଭାଗର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବକ୍ତୃତା ଦେଇ ଏହା କହିଥିଲେ । ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସହଯୋଗରେ ଆୟୋଜିତ ହୋଇଥିଲା । ପୂର୍ବରୁ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ଭୁବନେଶ୍ୱରରେ ଆଟମସଫେରିକ୍ ସାଇନ୍ସେସ୍ ବିଭାଗରେ ଅଧ୍ୟାପନା କରିଥିବା ପ୍ରଫେସର ମହାନ୍ତି କହିଥିଲେ ଯେ, ୧୯୦୧ ଓ ୨୦୦୧ ମସିହା ମଧ୍ୟରେ ଓଡ଼ିଶା ୧୦୦ରୁ ଅଧିକ ଥର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଛି ଯାହାର ସଂଖ୍ୟା ସବୁ ତଟୀୟ ପ୍ରଦେଶମାନଙ୍କଠାରୁ ଅଧିକ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ବୋଲି ସେ କହିଥିଲେ ।

ବର୍ତ୍ତମାନ ପ୍ରଫେସର ମହାନ୍ତି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍ଚର ଠାରେ ଡିଷ୍ଟିଙ୍ଗୁଇସ୍ଡ୍ ପ୍ରଫେସର ଭାବେ କାର୍ଯ୍ୟ କରୁଛିନ୍ତି । ଭର୍ଚୁଆଲି ଆୟୋଜିତ ଏହି ବକ୍ତୃତାରେ ଭୁ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡ. ଏମ୍. ରବିଚନ୍ଦ୍ରନ୍ ଯୋଗଦେଇଥିଲେ । ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବାବେଳେ ଏଥିରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ ନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ତଥା ଅନେକ ପାଣିପାଗ ବିଶେଷଜ୍ଞ, ଗବେଷକ ଓ ଶିକ୍ଷକ ଏଥିରେ ଯୋଗଦେଇଥିଲେ ।

ପ୍ରଫେସର ମହାନ୍ତି କହିଥିଲେ ଯେ, ବଙ୍ଗୋପସାଗରରୁ ଉତ୍ପତି ହେଉଥିବା ବାତ୍ୟାଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରେ ହେଉଥିବା ବାତ୍ୟା ଗୁଡ଼ିକର ମାତ୍ର ୫ ପ୍ରତିଶତ ହୋଇଥିଲେ ମଧ୍ୟ ଭାରତୀୟ ଉପକୂଳକୁ ଆଘାତ କରୁଥିବା ଘୁର୍ଣ୍ଣିଝଡ଼ ଗୁଡ଼ିକ ଅଧିକ ମାତ୍ରାରେ ଧନଜୀବନର କ୍ଷତି କରିଥାନ୍ତି । ଗତ ୩୦୦ବର୍ଷ ମଧ୍ୟରେ ପୃଥିବୀରେ ୫୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୭୪ପ୍ରତିଶତ ବଙ୍ଗୋପସାଗରରୁ ଉତ୍ପତି ହୋଇଥିଲା ବୋଲି ସେ କହିଥିଲେ । ୧୯୭୦ମସିହାରେ ବାଂଲାଦେଶରେ ଧ୍ୱଂସ ସାଧନ କରିଥିବା ବାତ୍ୟା ‘ଭୋଳା’ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା ।

ପ୍ରଫେସର ମହାନ୍ତି କହିଥିଲେ ଯେ, ଅତିମାତ୍ରାରେ ଧ୍ୱଂସ ସାଧନ କରୁଥିବା କ୍ୟାଟେଗୋରୀ ୪ ଓ ୫ ବାତ୍ୟାର ସଂଖ୍ୟା ୧୯୭୦ ପରଠାରୁ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ବାତ୍ୟା ବିଷୟରେ ଆଗୁଆ ତଥ୍ୟ ପ୍ରଦାନ କରିବାରେ ଗତ ୧୭ ବର୍ଷ ମଧ୍ୟରେ ଅନେକ ଉନ୍ନତି କରିଛି । ଫଳରେ ସରକାର ଓ ଜନସାଧାରଣ ଠିକ୍ ସମୟରେ ବାତ୍ୟା ବିଷୟରେ ତଥ୍ୟ ପାଇପାରୁଛନ୍ତି । ବିଜ୍ଞାନର ଅଗ୍ରଗତି ଫଳରେ ଏହା ସମ୍ଭବ ହୋଇପାରୁଛି । ୧୯୯୯ମସିହାରେ ମହାବାତ୍ୟାର ବିଭୀଷିକା ପରେ ଓଡ଼ିଶା ସରକାର ଏହାର ପ୍ରତିକାର ନିମନ୍ତେ ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ଗଠନ କରିଥିଲେ ଯାହାକି ଦେଶର ପ୍ରଥମ ଏପରି ସଂସ୍ଥା ଅଟେ । ଏହାପରେ ୨୦୦୫ମସିହାରେ ଭାରତ ସରକାର ନ୍ୟାସ୍ନାଲ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଗଠନ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button