ଦେଶ ବିଦେଶ

ରୁଷ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ, ୩୦ ମୃତ, ୧୦୦ ଆହତ – Utkal Mail


ମସ୍କୋ : ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ବୋଲି ଦାଗେସ୍ତାନ ରାଜ୍ୟପାଳ ସେର୍ଗେଇ ମେଲିକୋଭି କହିଛନ୍ତି।

ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ସୋମବାର ରାତିରେ ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିବା ଏକ ଗ୍ୟାସ୍ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ପ୍ରଥମେ କାର ମରାମତି ଦୋକାନରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗ୍ୟାସ୍ ଷ୍ଟେସନକୁ ବ୍ୟାପିଯାଇଥିଲା।

ସୂଚନା ଅନୁଯାୟୀ, ଗ୍ୟାସ ଷ୍ଟେସନରେ ଲାଗିଥିବା ନିଆଁ ଅଳ୍ପ ସମୟ ମଧ୍ୟରେ ୬୦୦ ବର୍ଗ ମିଟର ଅଞ୍ଚଳକୁ ବ୍ୟାପିଯାଇଥିଲା। ଆହତଙ୍କ ମଧ୍ୟରୁ କେତେକଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ମସ୍କୋ ନିଆଯାଉଛି । ରୁଷ୍ କର୍ତ୍ତୃପକ୍ଷ ଏହି ଘଟଣାର ଏକ ଅପରାଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏହା ପଛରେ ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଅନ୍ୟ କୌଣସି ବାହ୍ୟ ଶତ୍ରୁର ହାତ ରହିଛି ତାହାର ଅନୁସନ୍ଧାନ କରାଯାଉଛି ।

ଦାଗେସ୍ତାନ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମସ୍କୋ ସମୟ ଅପରାହ୍ନ ୧୨ଟା ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଥିଲା । ତେବେ ପରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇ ୩୦ରେ ଓ ଆହତ ସଂଖ୍ୟା ୧୦୨ରେ ପହଞ୍ଚିଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button