୨୦୨୯ରେ ଏକକାଳୀନ ନିର୍ବାଚନ! – Utkal Mail
ନୂଆଦିଲ୍ଲୀ: ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ। ତେବେ ଏକ ରାଷ୍ଟ୍ର-ଏକ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ କାମ ଜାରି ରଖିଛି ଏବଂ ଏହା ୨୦୨୯ରେ ସମ୍ଭବ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଆଇନ କମିସନ ବର୍ତ୍ତମାନର ବିଧାନସଭାମାନଙ୍କର କାର୍ଯ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି । ସରକାର ଲୋକସଭା, ରାଜ୍ୟ ବିଧାନସଭା ଏବଂ ପୌର ନିର୍ବାଚନ ଏକସଙ୍ଗରେ କରାଇବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଏବଂ କମିଟିର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଭଳି ସ୍ଥିତିରେ ଆଇନ କମିସନ ଲୋକସଭା ଏବଂ ରାଜ୍ୟମାନଙ୍କ ପାଇଁ ବର୍ତ୍ତମାନର ସୁପାରିସ ସହିତ ସ୍ଥାନୀୟ ପୌର ନିର୍ବାଚନକୁ ମଧ୍ୟ ସାମିଲ କରିବା ଦିଗରେ କାମ କରୁଥିବା ଜଣାପଡ଼ିଛି। ଆଇନ କମିସନ ଲୋକସଭା, ବିଧାନସଭା ଏବଂ ପୌର ନିର୍ବାଚନ ପାଇଁ ଭୋଟର୍ ତାଲିକା ସୁନିଶ୍ଚିତ କରିବା ନିମନ୍ତେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସ୍ତତ କରିବେ ଏବଂ ତଦନୁଯାୟୀ ସୁପାରିସ ପ୍ରଦାନ କରିବେ। ତେବେ ୨୦୨୪ରେ ଏକକାଳନୀ ନିର୍ବାଚନ ହେବା ନେଇ ଆଇନ କମିସନ କୌଣସି ରିପୋର୍ଟ ପ୍ରସ୍ତୁତ କରିନାହାନ୍ତି ଏବଂ ଏ ବାବଦ ବିଭିନ୍ନ ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗରେ ତର୍ଜମା ଜାରି ରହିଛି।
୨୦୨୯ରେ ରାଜ୍ୟମାନଙ୍କର ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ଏକସଂଗରେ କରାଇବା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ଜଷ୍ଟିସ ଋତୁରାଜ ଅୱସ୍ଥିଙ୍କ ନେତୃତ୍ବରେ ଗଠିତ କମିସନ ବିଧାନସଭାମାନଙ୍କ କାର୍ଯ୍ୟକାଳ ବଢ଼ାଇବା କିମ୍ବା କମାଇବା ପାଇଁ ପରାମର୍ଶ ଦେବାକୁ ଯୋଜନା କରୁଛନ୍ତି। ଏହା ସୁନିଶ୍ଚିତ କରିବା ପାଇଁ ସର୍ବସମ୍ମତିରେ ଗ୍ରହଣୀୟ ହେବାଭଳି ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି । ଏ କ୍ଷେତ୍ରରେ ଭୋଟର୍ ତାଲିକା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏ ବାବଦରେ ବିଭିନ୍ନ ରାଜନୈତିକ ଦଳମାନଙ୍କର ପରାମର୍ଶ ଲୋଡ଼ିବେ ।