୫ବର୍ଷ ପରେ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ନିର୍ବାଚନ

କଟକ: ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦୁଇଟି ପ୍ୟାନେଲ୍ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ଭୋଟ୍ ଗ୍ରହଣ ଓ ୧୯ ତାରିଖରେ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୨୦୧୯ ଏପ୍ରିଲରୁ ମହାସଂଘ କାର୍ଯ୍ୟକାଳ ଶେଷ ହୋଇଥିଲା।
ହେଲେ ନିର୍ବାଚନ ନହେବାରୁ ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ବହୁବାର ଖବର ପ୍ରକାଶ ପାଇଥିଲା। ରାଜ୍ୟର ୫୦ଟି ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟରେ କାର୍ଯ୍ୟରତ ୫୦ ହଜାର ପୁଲିସ କର୍ମଚାରୀଙ୍କ ପ୍ରତିନିଧିତ୍ବ କରୁଥିବା ହାବିଲଦାର, କନେଷ୍ଟବଳ ଓ ସିପାହି ମହାସ˚ଘର ପରୋକ୍ଷ ନିର୍ବାଚନ ପାଇଁ ମହାସଂଘ କାର୍ଯ୍ୟାଳୟ ବେଶ୍ ଚଳଚଞ୍ଚଳ ହୋଇଛି। ପ୍ରତି ଶାଖା ସଂଘର ୫ ଜଣ ସଦସ୍ୟ ମହାସଂଘର ଦୁଇଟି ପ୍ୟାନେଲ୍କୁ ଭୋଟ୍ ଦେବେ। ଅର୍ଥାତ ମହାସଂଘ ନିର୍ବାଚନରେ ପ୍ରତି ଶାଖା ସଂଘରୁ ୫ ଜଣ ଲେଖାଏ କରି ମୋଟ ୨୫୦ ଜଣ ସଦସ୍ୟ ଭୋଟ ଦେବେ। ଶାଖା ସଂଘର ସଭାପତି ଓ ସମ୍ପାଦକ ବାଦ୍ ଶାଖାର ନିର୍ବାହୀ ସଦସ୍ୟଙ୍କ ଦ୍ବାରା ଚୟନ ହୋଇଥିବା ଅନ୍ୟ ତିନି ଜଣ ଏହି ଭୋଟ୍ ଦେବେ।
ଗୋଟିଏ ପ୍ୟାନେଲରେ ସଭାପତି ପ୍ରାର୍ଥୀ ବାଉରିବନ୍ଧୁ ମହାପାତ୍ର ଥିବା ବେଳେ ତାଙ୍କ ସହିତ ଉପସଭାପତି ପ୍ରାର୍ଥୀ ଗୋରାଚାନ୍ଦ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଦୁର୍ଗାପ୍ରସାଦ ଦାଶ, ସଂଗଠନ ସମ୍ପାଦକ ପ୍ରାର୍ଥୀ ବାବୁଲି ନାୟକ, ଯୁଗ୍ମ ସମ୍ପାଦକ-୧ ପ୍ରାର୍ଥୀ ସୁବାସ ମିଶ୍ର, ଯୁଗ୍ମ ସମ୍ପାଦକ-୨ ପ୍ରାର୍ଥୀ ଦୀପକ କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରାର୍ଥୀ ମାନସ କୁମାର ପାଣିଗ୍ରାହୀ ଛିଡ଼ା ହୋଇଛନ୍ତି। ସେହିଭଳି ବାଉରିବନ୍ଧୁ ମହାପାତ୍ରଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ପ୍ୟାନେଲ୍ରେ ସଭାପତି ପ୍ରାର୍ଥୀ ଅନିଲ କୁମାର ଷଣ୍ଢ, ଉପସଭାପତି ପ୍ରାର୍ଥୀ ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ପ୍ରାର୍ଥୀ କିଶୋର କୁମାର ମହାନ୍ତି(ବାବୁ), ସଂଗଠନ ସମ୍ପାଦକ ପ୍ରାର୍ଥୀ ସରୋଜ କୁମାର ମିଶ୍ର, ସହ ସମ୍ପାଦକ-୧ ପ୍ରାର୍ଥୀ ମାନସ କୁମାର ବାରିକ, ସହସମ୍ପାଦକ-୨ ପ୍ରାର୍ଥୀ ମହେନ୍ଦ୍ର କୁମାର ଗୌଡ଼, କୋଷାଧ୍ୟକ୍ଷ ପ୍ରାର୍ଥୀ ଗୌରୀଶଙ୍କର ମିଶ୍ର ଅଛନ୍ତି।