କ୍ରାଇମ

ମା’ଙ୍କ ଶ୍ରାଦ୍ଧକୁ ଯାଇଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ଘରୁ ଲୁଟ୍, ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବରେ ଅସୁରକ୍ଷିତ ଲୋକେ

ମା’ଙ୍କ ଶ୍ରାଦ୍ଧକୁ ଯାଇଥିଲେ । ଦିନ ୯ଟା ବେଳେ ଘରୁ ବାହାରି ଗାଁକୁ ଗଲେ । କିନ୍ତୁ ଦିନ ୩ଟା ବେଳେ ଘରକୁ ଫେରି ଦେଖନ୍ତି ତ ଘରେ ଆଉ କିଛି ବାକି ନାହିଁ । ଘର କବାଟରେ ଲଗାଇଥିବା ତାଲା ଭାଙ୍ଗି ତଳେ ପଡ଼ିଛି । ଘର ଭିତରେ ଥିବା ଦୁଇଟି ରୁମରେ ଲୁହା ଆଲମିରା ଖୋଲା ହୋଇପଡ଼ିଛି । ଜିନିଷ ପତ୍ର ସବୁ ଏଣେ ତେଣେ ପଡ଼ିଥିଲା । ଆଉ ଘରୁ ଗାୟବ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା । ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ପଣ୍ଡୁଆ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଦୀର୍ଘ ବର୍ଷ ଧରି ଏଠାରେ ରହୁଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧାଶ୍ୟାମ ସାହୁଙ୍କ ଘରୁ ଗୁରୁବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଗତ କାଲି ସକାଳ ୯ଟା ସମୟରେ ପ୍ରାଧ୍ୟାପକ ଶ୍ରୀ ସାହୁ ଓ ତାଙ୍କ ପତ୍ନୀ ନିରୂପମା ପୃଷ୍ଟି କଲଣ ଗାଁରେ ଥିବା ନିଜ ପୈତୃକ ଘରକୁ ମା’ଙ୍କ ଶ୍ରାଦ୍ଧ ପାଇଁ ଯାଇଥିଲେ । ଶ୍ରାଦ୍ଧ କାର୍ଯ୍ୟ ସାରି ଦିନ ୩ଟାରେ ଆସି ପଣ୍ଡୁଆ ଠାରେ ଥିବ ଘରେ ପହଞ୍ଚି ଦେଖନ୍ତି ତ ଘର ତାଲା ଭଙ୍ଗା ହୋଇପଡିଛି । ଘର ଭିତରେ ଥିବା ଦୁଇଟି ରୁମରେ ଲୁହା ଆଲମିରାରେ ଥିବା ପାଖାପାଖି ୨୦ ଭରି ସୁନା ଗହଣା ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟ ହୋଇଛି । ଶ୍ରୀ ସାହୁ ଯିବା ସମୟରେ ଦୁଇ ଜଣ ଯୁବକ ବାଇକରେ ତାଙ୍କ ଘର ଆଗରେ ବୁଲୁଥିଲେ ବୋଲି ପଡୋଶୀ କହୁଛନ୍ତି । ଏହି ଦୁଇ ଜଣ ଯୁବକ କିଛି ବାଟରେ ବାଇକ ରଖି ଘରର ପଛ ଗେଟ ତାଲା ଭାଙ୍ଗି ଘରେ ପଶି କରି ଚୋରି କରିବା ପରେ ସେହି ବାଟ ଦେଇ ଖସି ଯାଇଛନ୍ତି ।

ତେବେ ରାଧାଶ୍ୟାମ ଘରକୁ ଫେରିବା ପରେ ସୁନା ଅଳଙ୍କାର ଖୋଳ ଗୁଡିକ ବିଭିନ୍ନ ଜାଗାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ପ୍ରାଧ୍ୟାପକ ଶ୍ରୀ ସାହୁ ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ହେଲେ ଦୁର୍ବୃତ୍ତଙ୍କ କୌଣସି ଟେର ପାଇ ପାରିନାହିଁ ପୋଲିସ୍ ।

କିଛି ଦିନ ହେବ ଜାରକା ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ବେଳେ ଏବେ ଦିନ ଦ୍ବିପହରରେ ହୋଇଥିବା ଏହି ଚୋରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ବାରମ୍ବାର ଧର୍ମଶାଳା ଓ ଆଖପାଖ ଅଞ୍ଚଳରେ ଚୋରି ରାହାଜାନି ଆଦି ବଢ଼ୁ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ପୋଲିସ ଘଟଣାର ତଦନ୍ତ କରି ସେହି ଚୋରଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button