ଦେଶ ବିଦେଶ

ପ୍ରଥମ ଥର ପାଇଁ ବିଜେପି ହାତେଇଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀ

ଲ୍ଲିକୋଟ, ୨୨/୦୮: ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ସାଧାରଣ ନିର୍ବାଚନରେ ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ କରି ଖଲ୍ଲିକୋଟ ବିଧାୟକ ପଦବୀ ଅକ୍ତିଆର କରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀକୁ ଅକ୍ତିଆର କରି ନେଇଛି।

ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଭାବେ ବିଜେପି ପ୍ରାର୍ଥୀ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି l

ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ଅନୁଷ୍ଠିତ ଉପ ନିର୍ବାଚନରେ ବ୍ଲକର ମୋଟ ୨୯ ଟି ପଞ୍ଚାୟତରୁ ୨୮ ଜଣ ସମିତିସଭ୍ୟ ମତଦାନ କରିଥିଲେ l ଶ୍ରୀକୃଷ୍ଣ ଶରଣପୁର ପଂଚାୟତର ସମିତି ସଭ୍ୟ ରାଜୁ ତରେଇ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବାରୁ ସେ ଭୋଟ ଦାନରୁ ବଂଚିତ ହୋଇଥିଲେ। ପୂର୍ବରୁ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡିର ଦୈତାରୀ ବେହେରା ହାତେଇଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ l ଆଜି ଏହି ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ବିଜେଡି ରୁ ଦୈତାରୀ ବେହେରା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଚିକିଲି ସମିତି ସଭ୍ୟ କୁମାରୀ ଦାସ ପ୍ରାର୍ଥୀ ହୋଇଥିଲେ l ୨୮ ଜଣ ସମିତି ସଭ୍ୟ ମଧ୍ୟରୁ ବିଜେପି ପ୍ରାର୍ଥୀ କୁମାରୀ ଦାସଙ୍କୁ ୨୫ ଜଣ ସମିତି ସଭ୍ୟ ଭୋଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥୀ ଦୈତାରୀ ବେହେରା ଙ୍କୁ ମାତ୍ର ୩ ଗୋଟି ଭୋଟ ମିଳିଥିଲା ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ଲକ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା l ଛତ୍ରପୁର ଏସ୍ଡ଼ିପିଓ ଗୌର ହରି ସାହୁ, ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ରମ୍ଭା ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ, ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ର ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ l ଗଞ୍ଜାମ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ କୋଦଳା ତହସିଲଦାର ସସ୍ମିତା ଶତପଥି ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ବିଜୟ ପରେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ କୁମାରୀ ଦାସ ସମସ୍ତ ସମିତି ସଭ୍ୟ ମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନ ରେ ସମସ୍ତ ଙ୍କୁ ସାଥିରେ ନେଇ ଖଲ୍ଲିକୋଟ ବ୍ଲକ ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି ବୋଲି କହିଛନ୍ତି। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ମହିଳା ନେତ୍ରୀ ଭାରତୀ ବେହେରା ଙ୍କ ସମେତ ଅନେକ ବିଜେପି ନେତା ମାନେ ପହଞ୍ଚି ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାପରେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଙ୍କ ସହ ବିଜେପିର ସମସ୍ତ ସମିତି ସଭ୍ୟ ମାନେ ବିଜୟ ଶୋଭାଯାତ୍ରା ରେ ବାହାରି ଖଲ୍ଲିକୋଟ ସହର ପରିକ୍ରମା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button