ଥିବେ ଯାତ୍ରୀ, ଥିବ ବସ ହେଲେ ଆଉ ଶୁଭିବନି ବରମୁଣ୍ଡା ଡାକ; ନୂଆ ପରିଚୟରେ ପରିଚିତ ହେବ ବରମୁଣ୍ଡା ବସ ଷ୍ଟାଣ୍ଡ

ଭୁବନେଶ୍ୱର : ଆଉ କିଛି ସମୟର ଅପେକ୍ଷା ଏହାପରେ ନୂଆ ପରିଚୟରେ ପରିଚିତ ହେବ ବରମୁଣ୍ଡା ବସ ଷ୍ଟାଣ୍ଡ । ବଦଳିଯିବ ତା ନାଁ ଆଉ ତାର ଚର୍ତୁପାଶ୍ୱର୍ । କାଇଁ କେଉଁ କାଳରୁ ମିଳିଥିବା ପରିଚୟଟି ସବୁଦିନ ପାଇଁ ହଜିଯିବ । ଜନଗହଳିର ମୁକସାଥୀ ଥିବା ବରମୁଣ୍ଡା ବସ ଷ୍ଟାଣ୍ଡଟି ହୋଇଯିବ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ । ଆଉ ଦେଖିବାକୁ ମିଳିବନୀ ଅସଜଡା ହୋଇ ଛିଡା ହୋଇଥିବା ବସ ଗୁଡିକୁ । ଆଉ ଖୋଜିବାକୁ ପଡିବନି ଗାଁ ରୁ ଆସିଥିବା ପ୍ରିୟଜନଙ୍କୁ । କେତେ କଥା କେତେ କାହାଣୀ କେତେ ଘଟଣା କେତେ ଦୁର୍ଘଟଣାର ମୁଖସାଥୀ ଥିବା ବରମୁଣ୍ଡା ବସ ଷ୍ଟାଣ୍ଡ ପୁଣି ଦେଖିବ ଆଉ ଏକ ନୂଆ କାହାଣୀ । ସେହି ଜାଗା ଥିବ ସେହି ଯାତ୍ରୀ ଥିବେ କିନ୍ତୁ ବସ ଷ୍ଟାଣ୍ଡର ପରିଚୟ ଅଲଗା ଥିବ ଆଉ ଅଲଗା ଥିବ ତାର ରୂପ ରେଖ ।
ଆଗଭଳି କେଉଁ ଯାତ୍ରୀଙ୍କୁ ଗରମରେ ଛିଡା ହେବାକୁ ପଡିବନି କି କାହାକୁ ବର୍ଷା ଦିନରେ ନର୍ଦମା ପାଣିରେ ପଶିବାକୁ ପଡିବନି । କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁବିଧା ପାଇଁ ଆଜି ଲୋକାର୍ପଣ କରିବେ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ। ପ୍ରବେଶରୁ ପ୍ରସ୍ଥାନ ବସ୍ ଆହାର କେନ୍ଦ୍ର ସବୁ ଚକାଚକ୍। ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ୍ ଉଭା ହେଉଛି। ଏହି ବସ୍ ଟର୍ମିନାଲ୍ ର କୋଣ ଅନୁକୋଣରେ ହାଇଟେକ୍ ବ୍ୟବସ୍ଥା କରାଯାଇଛି। ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯିବା ଆସିବା ଲାଗି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି।। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍, ଏଟିଏମ୍, ଆହାର କେନ୍ଦ୍ର ଭଳି ସେବା ମିଳିବ।
ଏହା ବ୍ୟତୀତ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓରମାସ ଓ ମିଲେଟ୍ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ସେହିପରି ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ୫୦ ବସ୍ ରହିବା ସହ ୨୦୦ ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି। ସିଟିବସ୍ ପାଇଁ ମଧ୍ୟ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି ।


