ଓଡିଶା

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଆଜିଠାରୁ ଏକମାସ ବ୍ୟାପି ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେବ ପହିଲି ଭୋଗ

ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟ ରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ। ପୌରାଣିକ ମତ ଅନୁଯାୟୀ ଭାରତ ର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ।ଏହି କ୍ଷେତ୍ର ରେ ଭୋଗ ର ପ୍ରାଧାନ୍ୟ ରହିଛି।ବିଭିନ୍ନ ଯାନିଯାତ୍ରା ରେ ସ୍ୱତନ୍ତ୍ର ଭୋଗ ର ବ୍ୟବସ୍ଥା ମଧ୍ୟ ରହିଛି।ସେଥିପାଇଁ ଯଥାର୍ଥ ରେ କୁହାଯାଇଛି –

‘ବଡ଼ ଦେଉଳ ରେ ଲାଗିଛି ନାଟ, ନିଇତି ପୁନିଅ ନିଇତି ହାଟ’

ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସ ର ସେବା ଭାବ ରହିଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସ ଉପାସନା ର କାଳ।

ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଲବଲ୍ଲଭ ଭୋଗ ସହିତ ‘ *ପହିଲିଭୋଗ* ‘ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମାନଙ୍କରେ ରାତ୍ର ଦୁଇଘଡି ଥାଇ ଦ୍ୱାରଫିଟା,ଆଳତି,ଅବକାଶ ହୁଏ।ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ।ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ପରଖମାନଙ୍କରେ ବଲ୍ଲଭ ବଢାଯାଇଥାଏ।ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲିଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ।ଏ ଭୋଗ ରେ ବିରି ଓ ଗହମ ରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାର ରେ ପୂଜା କରାଯାଇଥାଏ।ପହିଲିଭୋଗ ରେ ଲାଗୁଥିବା ପିଠା ଗୁଡିକ ହେଉଛି – ‘ ବଡ଼ ଝିଲି,ଦରସୁଆ ବଡି,ଦରସୁଆ ଝିଲି,ବଡ଼ ବଡ଼ା, କାକେରି,ସାନ ଅମାଲୁ,ନଳୀ,କାକେରା, ଆରିସା, ମୁଗେଇ, ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି। ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି।ଏ ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବାପାଇଁ ଏହି ଦିନମାନଙ୍କରେ ମଂଗଳଆଳତି ପରେ ହିଁ ରୋଷହୋମ ଅନୁଷ୍ଠିତ ହୋଇଥାଏ।

ପହିଲିଭୋଗ ଉତ୍ପତ୍ତିର ସମୟ ଓ କାରଣ ସମ୍ପର୍କରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ଶୁଣିବାକୁ ମିଳେ।ସ୍କନ୍ଧ ପୁରାଣ ,ଶ୍ରୀମନ୍ଦିର ର ବିଭିନ୍ନ ପର୍ବପର୍ବାଣି ସମ୍ଵନ୍ଧ ରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଥିବା ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ରେ ମଧ୍ୟ ପହିଲିଭୋଗ ର କୌଣସି ବିବରଣ ନାହିଁ।ଏଥିରୁ ଅନୁମତି ହୁଏ ଯେ ପହିଲିଭୋଗ ର ପ୍ରଚଳନ ଅର୍ବାଚିନ କାଳ ରେ ହିଁ ହୋଇଛି।କିନ୍ତୁ ଆଲୋଚକ ଶ୍ରୀ ଆଶୁତୋଷ ନାୟକ ଭକ୍ତ କବି ମାଧବୀ ଦାସୀ ଙ୍କ ଧନୁ ମାସ ର ପହିଲିଭୋଗ ବର୍ଣ୍ଣନାତ୍ମକ ଏକ ରଚନା ଉଦ୍ଧାରକରି ଏହି ପହିଲିଭୋଗ ଖ୍ରୀଷ୍ଟିୟ ୧୬ଶ ଶତାବ୍ଦୀରେ ପ୍ରଚଳିତ ଥିବାର ପ୍ରତିପାଦନ କରିଛନ୍ତି।ଏଥିରେ ମାତା ଯଶୋଦା ରାତି ନ ପାହୁଣୁ ,କାଉ କା ନକରୁଣୁ ଶ୍ରୀକୃଷ୍ଣ ଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଭୁଂଯାଇ ଦିଅନ୍ତି।ଅତଏବ ଏହି ଭୋଗ ହେଉଛି ମାତା ଯଶୋଦା ଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମ ର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିର ରେ ବୋହୁ ପ୍ରାଚୀନ କାଳ ରୁ ପ୍ରଚଳିତ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏ ସମ୍ପର୍କୀୟ ପୌରାଣିକ ଆଖ୍ୟାନ କୁ ଅବତାରଣା କରି ସେ ଲେଖିଛନ୍ତି ଯେ, ଏକଦା ଦ୍ୱାରକା ରେ ମାତା ଯଶୋଦା ଙ୍କ ସ୍ମୃତି ରେ ବ୍ୟାକୁଳିତ ହୋଇ ବାଳଗୋପାଳ ରୂପ ଧାରଣ କରିଥିବାବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ। ଉତ୍ତର ରେ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ପ୍ରେରିତ ହୋଇ ନାରଦ ଗୋପପୁର କୁ ଯାଇ ମା ଯଶୋଦା ଙ୍କ ଦୁଇ କୋଳ ରେ ବଳରାମ ଓ କୃଷ୍ଣ ଦୁଇ ଭାଇ ଙ୍କୁ ବସି ଆନନ୍ଦ ରେ ନାନା ସୁମିଷ୍ଟ ଦ୍ରବ୍ୟ ଭୋଜନ କରୁଥିବାର ଦେଖିଲେ। ଶ୍ରୀ ଜଗନ୍ନାଥ ଙ୍କ ‘ପହିଲିଭୋଗ’ ଏହାର ସ୍ମାରକୀ। ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗ ରେ ଯଶୋଦା ଙ୍କର ପୁତ୍ର ବାତ୍ସଲ୍ୟ ର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କ ର ପିତୃ ଗୃହ ଗମନ ହେତୁ ପହିଲିଭୋଗ ର ସୃଷ୍ଟି ହୋଇଛି।ପୁଣି ଜନଶ୍ରୁତି ଅନୁଯାୟୀ ଲଷ୍ମୀ ଏହି କେତେଦିନ ନିଜ ସ୍ଥାନ ରୁ ଅନ୍ତର ଥାଆନ୍ତି।ଲୋକବିଶ୍ୱାସ ରେ ଲଷ୍ମୀ ଏହି ମାସ ଟି ନିଜର ବାପଘରେ କାଟନ୍ତି।ପୌଷ ମାସ ରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି। ତେଣୁ ମା ବ୍ୟଗ୍ର ହୋଇ ନିଜ ପୁଅଝିଅ ଙ୍କୁ ଶୀତ ରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି। ଏହି ପହିଲିଭୋଗ ବଢା ଭାତ ର ସ୍ମୃତି କୁ ମନେ ପକାଇଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button