ବିନା ଇଣ୍ଟରନେଟରେ ବି ପଠାଇହେବ ଟଙ୍କା, ଦେୟ ସୀମା ୫୦୦ ଟଙ୍କାକୁ ବଢାଇଲା ରିଜର୍ଭ ବ୍ୟାଙ୍କ – Utkal Mail
ମୁମ୍ବାଇ : ପେମେଣ୍ଟ ପାଇଁ ୟୁପିଆଇ ଲାଇଟ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ଇଣ୍ଟରନେଟରେ ଚାଲୁଥିବା (ଅଫ-ଲାଇନ ଡିଜିଟାଲ ପେମେଣ୍ଟ) ୟୁପିଆଇ ଲାଇଟ୍ ଜରିଆରେ ପ୍ରେରଣ କରାଯାଉଥିବା ରାଶିର ସର୍ବୋଚ୍ଚ ସୀମା ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରିଛି। ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା କରିବା ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।
ୟୁପିଆଇ ଲାଇଟ୍ ହେଉଛି ଏକ ଅନ-ଡିଭାଇସ୍ ୱାଲେଟ୍ ଫିଚର ଯେଉଁଥିରେ ବ୍ୟବହାରକାରୀ ବିନା ୟୁପିଆଇ ପିନ୍ ରେ ରିୟଲ ଟାଇମରେ ଅଳ୍ପ ଟଙ୍କା ଦେଇପାରିବେ। ସାଧାରଣତଃ ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ପେମେଣ୍ଟ କରିବା ପାଇଁ ଇଣ୍ଟରନେଟ୍ ର ଆବଶ୍ୟକତା ରହିଥାଏ। ୟୁପିଆଇ ଲାଇଟ୍ ରେ ସର୍ବାଧିକ ୨,୦୦୦ ଟଙ୍କା ରଖାଯାଇପାରିବ। ରିଜର୍ଭ ବ୍ୟାଙ୍କର ୟୁପିଆଇ ସୀମା ବୃଦ୍ଧି ଘୋଷଣା ପରେ ଦେଶରେ ଡିଜିଟାଲ ପେମେଣ୍ଟର ପହଂଚ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ୟୁପିଆଇ ଲାଇଟ୍ ର ଦେୟ ସୀମା ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରିବା ର ଉଦ୍ଦେଶ୍ୟ ହେଉଛି ସାଧାରଣ ସମୟରେ ଛୋଟ ଛୋଟ କାରବାର ପାଇଁ ମଧ୍ୟ ଲୋକମାନେ ୟୁପିଆଇ ବ୍ୟବହାର କରିପାରିବେ । ୟୁପିଆଇ ଲାଇଟ୍ ଆରମ୍ଭ ହେବା ପରଠାରୁ ଏହାର କାରବାର ସୀମା ବଢ଼ାଇବାକୁ ଦାବି ହୋଇଥିଲା। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୀମା ୫୦୦ ଟଙ୍କାକୁ ବୃଦ୍ଧି କରି ଏହି ଦାବି ପୂରଣ କରିଛି।