ବିରାଡ଼ିର ସ୍କିପିଂ ରେକର୍ଡ – Utkal Mail
ପ୍ରଶିକ୍ଷଣ ପାଇଥିବା ବିରାଡ଼ିଗୁଡ଼ିକ ବିଜ୍ଞାପନ, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି ପାଇଁ କୌତୁକିଆ ଅଭିନୟ କରୁଥିବା ଆମେ ଦେଖିଛନ୍ତି। ହେଲେ ମଣିଷକୁ ଅନୁକରଣ କରି ବିରାଡ଼ିଟିଏ ଅବିଶ୍ବସନୀୟ ଭାବେ ଦଉଡ଼ିଡିଆଁ (ସ୍କିପିଂ) କରି ଏକ ବିଶ୍ବ ରେକର୍ଡ ହାସଲ କରିପାରିଛି। ଆମେରିକାର ତ୍ରିସା ସିଫ୍ରାଏଡ୍ ପାଳିଥିବା ୧୩ ବର୍ଷର ବିରାଡ଼ିର ନାମ କିଟ୍ କାଟ୍। ସେ ଏକ ମିନିଟ୍ରେ ୯ ଥର ସ୍କିପିଂ କରି ଏହି ରେକର୍ଡର ଅଧିକାରୀ ହୋଇଛି। ସିଫ୍ରାଏଡ୍ ଏହି ବିରାଡ଼ିଟିକୁ ଶାବକ ଅବସ୍ଥାରେ ଉଦ୍ଧାର କରିଥିଲେ। ସେତେବେଳକୁ ସେ ମାତ୍ର ଚାରି ସପ୍ତାହର ହୋଇଥିବା ଅନୁମାନ କରାଯାଏ।
ଶାବକ ଅବସ୍ଥାରୁ ସେ ତାହାକୁ ତାଲିମ ଦେବା ଆରମ୍ଭ କରିଥିଲେ। ତାକୁ ମାତ୍ର ଛଅ ମାସ ହେଲା ବେଳକୁ ସେ ସ୍କିପିଂ କରିବା ଆରମ୍ଭ କରିଥିଲା। ପ୍ରଶିକ୍ଷଣ ପାଇ ସେ ଦଉଡ଼ିଡିଆଁ ସମେତ ମୁଣ୍ଡ ଉପରକୁ ଆଗ ପାଦ ଟେକି ତାଳି ମାରିବା, ପଞ୍ଝା ହଲାଇ ବାଏ ବାଏ କରିବା, ନିର୍ଦ୍ଦେଶ ଅନୁସାରେ ଘିରି ଘିରି ହୋଇ ବୁଲିବା ଓ ବିଭିନ୍ନ ଢଙ୍ଗରେ ବୋବାଇବା ଆଦି ୨୦ ପ୍ରକାରର କସରତ ଦେଖାଇପାରୁଛି। ତେବେ ସ୍କିପିଂ ହେଉଛି ତା’ର ସବୁଠୁ ବଡ଼ ଉପଲବ୍ଧି। ବିଭିନ୍ନ ପ୍ରକାର କୌଶଳ ଦେଖାଇ କିଟ୍ କାଟ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଏବେ ଦଉଡ଼ିଡିଆଁରେ ରେକର୍ଡ ସୃଷ୍ଟି କରିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସିଫ୍ରାଏଡ୍ କହିଛନ୍ତି।