ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି, ଧୁମଧାମରେ ପାଳନ ହେବ ରଥଯାତ୍ରା

ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ଭଟଲି ଠାରେ ପୂଜା ପାଉଥିବା ଦଧିବାହନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଯେଉଁଠି ଶ୍ରୀଜଗନ୍ନାଥଙ୍କ ବାଲ୍ୟ ରୂପରେ ଦଧିବାମନ ସ୍ବାମୀ ଭାବେ ପୂଜା ପାଆନ୍ତି । ଅଖି ତୃତୀୟା ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ରଥ ସେବକ ତଥା ବଢେଇମାନେ । ଆଉ ହାତରେ ଅଳ୍ପ ଦିନ ଥିବାରୁ ଦିନ ରାତି ଏକ କରି ରଥ ନିର୍ମାଣ ନିର୍ମାଣରେ କାରିଗର ଏବଂ ବଢେଇ ।
ଚଳିତ ବର୍ଷ ଆଠ ଚକ ବିଶିଷ୍ଟ ରଥର ଉଚ୍ଚତା ୩୫ ଫୁଟ ଓ ଚଉଡ଼ା ୨୧ ଫୁଟ ରହିଛି । ରଥ ନିର୍ମାଣ ପାଇଁ ୪୦ ଜଣ ରଥ ସେବକ ବା ବଢେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଦଧିବାମନ ମହାପ୍ରଭୁଙ୍କ ରଥକୁ ସୁସଜ୍ଜିତ କରିବା ପାଇଁ ରଥ ସେବକ ଭାସ୍କର ମେହେରଙ୍କ ପରିବାରଙ୍କୁ ଫୁରସତ ନାହଁ । ସମ୍ବଲପୁରୀ ବାନ୍ଧ କଳା ଲୁକରେ ସୁସଜ୍ଜିତ କରିବା ପାଇଁ ମେହେର ପରିବାରର ସମସ୍ତ ସଦସ୍ୟ ଲାଗିପଡିଛନ୍ତି ନିଜ ନିଜର କାର୍ଯ୍ୟରେ ।
ବିନା ପାରିଶ୍ରମିକରେ ମହାପ୍ରଭୁଙ୍କ ସେବା କରିବାର ଆନନ୍ଦ ବେଶ ନିଆରା ବୋଲି କହନ୍ତି ମେହେର ପରିବାର । ଚଳିତ ବର୍ଷ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ହୋଇଛି ନୂଆ କମିଟି ସାଙ୍ଗକୁ ନୂତନ କାଠରେ ନିର୍ମାଣ ହେଉଛି ରଥ । ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହ ଆର୍ଥିକ ଅନୁଦାନ ଆସିଥିବାରୁ ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ଧୁମ୍ ଧାମରେ ପାଳନ ହେବ ରଥଯାତ୍ରା ବୋଲି ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ କହିଛନ୍ତି ।
ପୁରୀ ଜଗନ୍ନାଥ ସ୍ବାମୀ ଓ ଭଟଲିର ଦଧିବାମନ ସ୍ବାମୀଙ୍କ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ଥିବା ବେଳେ ପୂଜାବିଧି ମଧ୍ୟରେ ସମାନତା ରହିଛି ବୋଲି କମିଟି ସଦସ୍ୟ କରିଛନ୍ତି । ତେବେ ଆସନ୍ତା ୨୭ ତାରିଖ ଦିନ ମହାପ୍ରଭୁ ଦଧିବାମନଙ୍କ ଘୋଷଯାତ୍ରା ଥିବାରୁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ କମିଟି ।


