ଅଫିସ୍ରେ ଶିକ୍ଷୟିତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିବା ଘରୋଇ ସ୍କୁଲ୍ ମାଲିକ ଗିରଫ – Utkal Mail
ନଏଡ଼ା: ସ୍କୁଲ୍ ପରିସରରେ ଜଣେ ଶିକ୍ଷୟିତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗ୍ରେଟର୍ ନଏଡ଼ାସ୍ଥିତ ଏକ ଘରୋଇ ସ୍କୁଲ୍ ମାଲିକଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି।
ପୁଲିସ କହିଛି, ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି ଯେ, ଫେବ୍ରୁଆରି ମାସରେ ସ୍କୁଲ୍ ମାଲିକ ପ୍ରଥମ କରି ତାଙ୍କୁ ଯୌନନିର୍ଯାତନା ଦେବା ସହିତ ଘଟଣାର ଭିଡିଓ ରେକର୍ଡିଙ୍ଗ୍ କରିଥିଲେ। ସେହି ରେକର୍ଡିଙ୍ଗ୍ଦ୍ବାରା ‘ବ୍ଲାକ୍ମେଲ୍’ କରି ସେ ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଛନ୍ତି।
ଶିକ୍ଷୟିତ୍ରୀ ସ୍କୁଲ୍ରେ ନିତ୍ୟନୈମିତିକ ଡିୟୁଟି କରୁଥିବା ବେଳେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଛି କହି ସ୍କୁଲ୍ ମାଲିକ ତାଙ୍କୁ ଅଫିସ୍କୁ ଡକାଇ ତାଙ୍କ ସହିତ ଦୁଷ୍କର୍ମ କରୁଥିଲେ ବୋଲି ପୁଲିସ କହିଛି।

ଅଳ୍ପ ଦିନ ହେବ ଶିକ୍ଷୟିତ୍ରୀ ଏକଥା ତାଙ୍କ ସ୍ବାମୀଙ୍କୁ କହିବା ପରେ ଦୁହେଁ ପୁଲିସରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ଗତ ସପ୍ତାହରେ ସେମାନେ ସ୍ଥାନୀୟ ସେକ୍ଟର୍ ବେଟା ୨ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁସାରେ, ସେପ୍ଟେମ୍ବର ୨୯ରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ତଲାସ ଆରମ୍ଭ କରିଥିଲା। ମଙ୍ଗଳବାର ଦିନ ଚୁହାଦପୁର ଅଣ୍ଡର୍ପାସ୍ ନକଟରେ ଅଭିଯୁକ୍ତ ସ୍କୁଲ୍ ମାଲିକଙ୍କୁ ଅଟକାଇ ଯାଇ ହାଜତକୁ ନିଆଯାଇଥିଲା।
ସ୍ଥାନୀୟ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା କଥା ପୁଲିସ କହିଛି।