ଦେଶ ବିଦେଶ

ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିସନର, କଂଗ୍ରେସର ଜୋର୍‌ଦାର୍‌ ବିରୋଧ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ  ଆସନ୍ତା  ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍‌ର ଏହି ପୂର୍ବତନ ଆଇଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ନିଯୁକ୍ତ କରିଛି । ସୂଚନାଯୋଗ୍ୟ, ଜ୍ଞାନେଶ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି।   କେରଳ କ୍ୟାଡର୍‌ର ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର କୁମାର ଅମିତ ଶାହଙ୍କ ଅଧୀନରେ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। କୁମାର ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ସମୟରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୯ରେ ଯେତେବେଳେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରାଗଲା, ସେତେବେଳେ ସେ ଗୃହ ମନ୍ତ୍ରାଳୟର ଜମ୍ମୁ-କାଶ୍ମୀର ଡେସ୍କ ଦାୟିତ୍ୱରେ ଥିଲେ। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରି ୨୬ରେ ଶେଷ ହେବ।

ସିଇସି ନିଯୁକ୍ତି ପାଇଁ ଆଜି ଅନୁଷ୍ଠିତ ବୈଠକକୁ କଂଗ୍ରେସ ଜୋର୍‌ଦାର ବିରୋଧ କରିଥିଲା ଏବଂ ଚୟନ ବୈଠକରେ ସାମିଲ ହୋଇଥିବା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲେ।  ସୁପ୍ରିମ୍‌କୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ସ୍ଥଗିତ ରଖାଯିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି‌ କରିଥିଲେ।  ସୂଚନାଯୋଗ୍ୟ, ସିଇସି ନିଯୁକ୍ତି ସଂକ୍ରାନ୍ତରେ  ସୁପ୍ରିମ୍‌କୋର୍ଟ ଆସନ୍ତ ୧୯ ତାରିଖରେ  ଶୁଣାଣି କରିବେ। ଏଭଳି ସ୍ଥିତିରେ ଆଜିର ବୈଠକକୁ ସ୍ଥଗିତ ରଖାଯିବା ଉଚିତ ବୋଲି କଂଗ୍ରେସ ଦାବି କରିଥିଲା। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି କମିଟିରୁ ବାଦ୍ ଦିଆଯାଇଥିଲା। ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଂଜ କରାଯାଇଛି। କଂଗ୍ରେସ ନେତା ସିଂଘଭୀ କହିଛନ୍ତି,  ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି କମିଟିରୁ ଦୂରେଇ ରଖିବାକୁ ଚେଷ୍ଟା କରି ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିର୍ବାଚନ କମିସନଙ୍କ ଉପରେ ନିୟନ୍ତ୍ରଣ ଚାହୁଁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button