ନୀତି

ସୁଭାଷିତ: ‘ନ କର ମାନବେ କ୍ଷୁଦ୍ରଜୀବେ ଉପହାସ’ – Utkal Mail


ନକର ମାନବେ କ୍ଷୁଦ୍ରଜୀବେ ଉପହାସ,
ନିଜର ଜୀବନ-ଜ୍ୟୋତି କର ପରକାଶ।
-ଗଙ୍ଗାଧର ମେହେର, ଖଦ୍ୟୋତର ଖେଦ, (ଅର୍ଘ୍ୟଥାଳି)
ଶ୍ରାବଣ ପୂର୍ଣ୍ଣିମା, ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ପୁଣ୍ୟ ଜୟନ୍ତୀ। ସେହି ଅବସରରେ ତାଙ୍କର ରଚନାରୁ ଏହି ସୁଭାଷିତ ଏଠାରେ ଉପସ୍ଥାପିତ।
‘ଅର୍ଘ୍ୟଥାଳି’ ଗଙ୍ଗାଧରଙ୍କର ଏକ ମହାର୍ହ ରଚନା। ତାହାର ଭୂମିକାରେ ସେ କହିଛନ୍ତି- “ମୋର ହୃଦୟ ନିବିଡ଼ ଅରଣ୍ୟ ତୁଲ୍ୟ; କିନ୍ତୁ ପ୍ରଶସ୍ତ ନୁହେଁ, କ୍ଷୁଦ୍ର। … ଗଛଟିଏ ହେଲେ ଅବଶ୍ୟ ତହିଁରେ ଫୁଲ ଫୁଟେ। କିନ୍ତୁ ଅରଣ୍ୟରେ ସୁପୁଷ୍ପ ଫୁଟେ ନାହିଁ। ମୋର ହୃଦୟରେ ନାନା ସମୟରେ ଯେ ନାନା ଭାବ ଉଦିତ ହୋଇଥାଏ, ତହିଁରୁ କେତେକ ପଦ୍ୟାକାରରେ ଲେଖି ପତ୍ର-ପତ୍ରିକାମାନଙ୍କର ପ୍ରକାଶ କରିଥିଲି। ତାହା ସୁଗନ୍ଧ ହେଉ କି ନିଗନ୍ଧ ହେଉ, ପୁଷ୍ପ ରୂପେ ଗଣ୍ୟ।” ସେହି ପୁଷ୍ପଗୁଡ଼ିକୁ ନେଇ ‘ଅର୍ଘ୍ୟଥାଳି’ ପରିପୂର୍ଣ୍ଣ। ତାହାରି ଏକ ପୁଷ୍ପ ‘ଖଦ୍ୟୋତର ଖେଦ’। ଏହା ‘ସମ୍ବଲପୁର ହିତୈଷିଣୀ’ରେ ୮ ମେ ୧୯୧୫ରେ ପ୍ରକାଶିତ ହୋଇଥିଲା।
ଖଦ୍ୟୋତ ବା ଜୁଳୁଜୁଳିଆ ପୋକକୁ ଲୋକେ ଚନ୍ଦ୍ର ସହ ତୁଳନା କରି ନ୍ୟୂନ ଦୃଷ୍ଟିରେ ଦେଖନ୍ତି। ସେଥିପାଇଁ ତା’ ମନରେ ଅନେକ ଖେଦ। ସେ କହୁଛି- ମୁଁ ଏକ କ୍ଷୁଦ୍ର ଜୀବ। କ’ଣ ବିଚାର କରି ଦଇବ ମୋତେ ପକ୍ଷ ଦେଇଛି, ମୁଁ ଜାଣେ ନାହିଁ। ମୋ’ ଦେହରେ ଆଲୋକ ଅଛି ବୋଲି ବି ମୁଁ ଜାଣେ ନାହିଁ, ମୁଁ କେବେ ଜ୍ୟୋତିଷ୍କରେ ଗଣା ହେବାପାଇଁ ମଧ୍ୟ ଚାହିଁ ନାହିଁ। ତଥାପି ମୋତେ ଚନ୍ଦ୍ର ସହ ତୁଳନା କରି ଲୋକେ ଉପହାସ କରନ୍ତି। କହନ୍ତି, ଛାର ଖଦ୍ୟୋତ, ସେ କ’ଣ କେବେ ଚନ୍ଦ୍ର ସହ ସମାନ ହୋଇପାରିବ?
କିନ୍ତୁ ଏ ପ୍ରସଙ୍ଗରେ ପରିଶେଷରେ ଖଦ୍ୟୋତ ଯାହା କହିଛି- ତାହା ଅତ୍ୟନ୍ତ ସ୍ୱାଭିମାନପୂର୍ଣ୍ଣ। ସେ କହିଛି- ଚନ୍ଦ୍ରର ନିଜର ଆଲୋକ ନାହିଁ। ସେ ପ୍ରଭାକର ବା ସୂର୍ଯ୍ୟଙ୍କର ଆଲୋକ ନେଇ ଆଲୋକ ଦିଏ। କିନ୍ତୁ ମୋର ଆଲୋକ ଯେତେ ଟିକିଏ ହେଲେ ବି ତାହା ମୋର। ମୁଁ ପରଧନରେ ଧନୀ ହୋଇ ଅଭିମାନ କରିବା ଜାଣେନି; କିପରି ବା ମୁଁ ଚନ୍ଦ୍ର ସହ ସମାନ ହେବି?
ଏହି ପ୍ରସଙ୍ଗରେ ପରିଶେଷରେ ସ୍ୱଭାବକବି ଗଙ୍ଗାଧର ଉପରୋକ୍ତ ସୁଭାଷିତରେ କହିଛନ୍ତି- ହେ ମାନବ, ଏଇଥିପାଇଁ, କେବେ କୌଣସି କ୍ଷୁଦ୍ର ଜୀବକୁ ଉପହାସ କରନାହିଁ। ନିଜର ଜୀବନ-ଜ୍ୟୋତି ଯେତେ ଅଳ୍ପ ହେଲେ ବି ତାହା ତୁମର। ତାହାକୁ ପ୍ରକାଶ କରି ପ୍ରକାଶମାନ ହୁଅ।




Related Articles

Leave a Reply

Your email address will not be published. Required fields are marked *

Back to top button