ଟମାଟୋ ପାଇଁ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ

ଯାଜପୁର: ଆଜିକାଲିର ସ୍ଵାର୍ଥପର ଦୁନିଆରେ କିଏ କାହାରକୁ ପଚାରୁଛି । ରାତି ପାହିଲା ବେଳକୁ ତ ଏଠି ବଦଳି ଯାଉଛି ସମ୍ପର୍କ । ନିଜର ସ୍ଵାର୍ଥ ପାଇଁ ମଣିଷ ଏଠି ଭୁଲିଯାଉଛି ମାନବିକତା । ମଣିଷ ମଣିଷକୁ ଦୟା,କ୍ଷମା ଭଳି ଆଚରଣ କରିବାକୁ କୁଣ୍ଠାବୋଧ କରୁଛି । ଦିନକୁ ଦିନ ବିବେକ ଶୂନ୍ୟ ହୋଇଚାଲିଛି ମଣିଷ । ମଣିଷ ଜନ୍ମ ପାଇ ବି ପଶୁଠାରୁ ହିଂସ୍ର ପାଲଟିଯାଉଛି । ହାତଗଣତି କିଛି ଟଙ୍କା ପାଇଁ କିଏ କଣ ଏମିତି କରିପାରେ । ଜଣେ ମଣିଷ ହେଇ ଜଣେ ମଣିଷ ସହିତ ପୁଣି ଏଭଳି ବ୍ୟବହାର ।
ହଁ ଆଜ୍ଞା ଟମାଟୋ ପାଇଁ ଜଣେ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ଚମ୍ପାପୁରରୁ । ସୂଚନା ଅନୁଯାୟୀ ଚମ୍ପାପୁର ଗ୍ରାମର ରମେଶ ସେଠୀ ଯିଏ କି ଆଇଟି ବିପି ଅରୁଣାଞ୍ଚଳ ପ୍ରଦେଶର ଦଶମ ବାଟାଲିୟନ ହେଡ଼ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ଗୁରୁବାର ହେଡ୍ କ୍ୱାର୍ଟରକୁ ଯାଇଥାନ୍ତେ । ସେହି ସମୟରେ ଘର ପାଇଁ କିଛି ପରିବା କିଣିବାକୁ ସେ ସ୍ଥାନୀୟ ଚମ୍ପାପୁର ହାଟକୁ ଯାଇଥିବା ସମୟରେ ସେଠାରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଦରକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।
ତେବେ ଯାହାକୁ ନେଇ ବ୍ୟବସାୟୀ ଜଣକ ଉତକ୍ଷିପ୍ତ ହୋଇ ସେନା କର୍ମଚାରୀ ରମେଶ ସେଠୀଙ୍କ ପେଟକୁ କାମୁଡି ଦେଇଥିଲେ । ଯାହାପରେ ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ବୈରୀ ପୋଲିସ୍ ପହଞ୍ଚି ଆହତ ସେନା କର୍ମଚାରୀଙ୍କୁ ମେଡିକାଲ ପଠାଇଥିଲା ।
ମେଡିକାଲରେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡକ୍ୱାର୍ଟରକୁ ଯାଇଥିବା ସୂଚନା ମିଳିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ସବୁଠି ନିନ୍ଦା କରାଯାଇଛି । ଏପଟେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଅଂଶୁମାଳା ଦାଶ ସୂଚନା ଦେଇଛନ୍ତି ।