ସିରାଜଙ୍କ ଅବିଶ୍ବସନୀୟ ବୋଲିଂ, ମାତ୍ର ୪ ରନ ଦେଇ ଶ୍ରୀଲଙ୍କାର ୫ ବ୍ୟାଟ୍ସମ୍ୟାନଙ୍କୁ କଲେ ବିଦା – Utkal Mail
କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଦଳ ମାତ୍ର ୧୨ ରନରେ ୬ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଯାଇଛି ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ । ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା ।
ସର୍ବଶେଷ ଖବର ଅନୁସାରେ ଶ୍ରୀଲଙ୍କା ୧୦ ଓଭରରେ ୬ ଓ୍ବିକେଟ ହରାଇ୩୧ ରନ କରିଛି । କ୍ରିଜରେ ଏବେ କୁଶଲ ମେଣ୍ଡିସ ଓ ଦୁନିଥ ଓ୍ବାଲାଲାଗେ ଅଛନ୍ତି ।